କୁଳରେ ଲଗାଅ ନାବ
କୁଳରେ ଲଗାଅ ନାବ
ଗୋଟିଏ ଡଙ୍ଗାରେ ବସାଇ ଦେଇଛ
ବୁଡିବ କି ପାର ହେବ,
ନାଉରୀଆ ନାହିଁ ଡଙ୍ଗା ବାହିନେବ
ଅସମ୍ଭାଳ ଜଳାର୍ଣ୍ଣବ,
କୁହ ହେ ନୀଳମାଧବ,
ତୁମେ ନାଉରୀଆ ହେବ ?
ଝଡଝଞ୍ଜା ଆସେ ଖରତର ହୋଇ
ଉତ୍ତାଳ ତରଙ୍ଗ ବହେ,
ନିର୍ଜନ ଦ୍ବୀପରେ ଅବିଶ୍ରାନ୍ତ ପକ୍ଷୀ
କୋଳାହଳ ରାବେ କହେ,
କୁହ ହେ ନୀଳମାଧବ,
ତୁମେ ନାଉରୀଆ ହେବ ?
ବୈଶାଖର ତାତି ଫାଟିଯାଏ ଛାତି
କାଳ ବୈଶାଖିର ମେଳ
ଚହଲାଇ ଦିଏ ସିନ୍ଧୁ ଜଳବିନ୍ଦୁ
ହୁଏ ଜୀବନ ସଙ୍କୁଳ,
କୁହ ହେ ନୀଳମାଧବ,
ତୁମେ ନାଉରୀଆ ହେବ ?
ସେ ଝଡଝଞ୍ଜାରେ କ୍ଷୀପ୍ରବେଗେ ଧାଇଁ
ନୋଳିଆ ସାଉଣ୍ଟେ ମୋତି,
ଉର୍ମୀମାଳା ଅଙ୍ଗ ବସନ ଫେଡଇ
ଛାତିରେ ତା ମହାଭିତି,
କୁହ ହେ ନୀଳମାଧବ,
ତୁମେ ନାଉରୀଆ ହେବ ?
ଥମିଯାଉ ସବୁ ଉତ୍ତାଳ ତରଙ୍ଗ
ରହିଯାଉ ଝଡଝଞ୍ଜା,
ବର୍ଷା ଋତୁ ଆସି ଶାନ୍ତ କରିଦେଉ
କାଳ ବୈଶାଖିର ଗଞ୍ଜା,
ଡଙ୍ଗା ବାହିନିଅ ହେ ନୀଳମାଧବ
କୁଳରେ ଲଗାଇ ନାବ,
କୁହ ହେ ନୀଳମାଧବ,
ତୁମେ ସତେ ସାହାହେବ ।
