ସର୍ବସଂହା ଧରିତ୍ରୀ
ସର୍ବସଂହା ଧରିତ୍ରୀ
ଜନ୍ମ ଭୂମି ମାଆ ଧରଣୀ ମୋର
ତୁ ସର୍ବ ସଂହା
କୋଳରେ ଧାରଣ କରିଛୁ ଏହି
ସାରା ଦୁନିଆଁ ।
ତ୍ୟାଗ, ବଳିଦାନ ତୋହର ଅଟେ
ଅମୁଲ ମୁଲ
କେହି ହେବେ ନାହିଁ ମାଆ ଲୋ
ତୋ ସଙ୍ଗେ ସମତୁଲ ।
ଜନ୍ମ ହେଲାପରେ ତୋ କୋଳେ
ବଢି ବଡ଼ ହୋଇଛି
ତୋର ପତ୍ର, ଫଳ, ମୂଳକୁ
ଖାଇ ମୁହିଁ ବଞ୍ଚିଛି
ତୋର ନଈ, ନାଳ, ଝରଣା
ପାଣି ଅଟେ ଅମୃତ
ଖାଦ୍ୟ, ବସ୍ତ୍ର, ବାସଗୃହ ଯେ
ସର୍ବ ତୋ କୋଳେ ଜାତ ।
ରତ୍ନଗର୍ଭା ବସୁନ୍ଧରା ମା
ତୋର ନାହିଁ ତୁଳନା
ହୀରା, ନୀଳା, ମୋତି, ମାଣିକ
ସଙ୍ଗେ ରୁପା ଓ ସୁନା ।
ସକଳ ପଦାର୍ଥ ତୋହର
ସମାଜର ହିତରେ
ଦାନ କରି ଦେଇ ରହିଛୁ
ତୁ ଆନନ୍ଦ ଚିତ୍ତରେ ।
ପୁଣ୍ୟ ଜନ୍ମ ଭୂମି ମୋହର
ସର୍ବ ସଂହା ଧରିତ୍ରୀ
କୀଟରୁ, ଯେ ବ୍ରହ୍ମ ପର୍ଯ୍ୟନ୍ତ
କୋଳେ ରଖୁ ସାଇତି ।
ସାଗର ଧୁଅଇ ଚରଣ
ଚୁମେ ନୀଳ ଅମ୍ବର
ହିମାଳୟ ତୋର ମୁକୁଟ
ନାହିଁ ତୋ ପଟାନ୍ତର ।
କେତେ ଶୁର, ବୀର ତୋ କୋଳେ
ଜନ୍ମି ରଖିଲେ ଯଶ
କେତେ କବି, କେତେ ଲେଖକ
ରଚିଲେ ଇତିହାସ ।
କେତେ ସତୀ, ବୀରା ରମଣୀ
ତୁହି କୋଳରେ ଧରି
ଯୁଗ, ଯୁଗ ପାଇଁ ହୋଇ ସେ
ଗଲେ ଆଦର୍ଶ ନାରୀ ।
ଚାରୁ ସୁଷମାରେ ଭୂଷିତ
ତୋହରି କଳେବର
ସୁନ୍ଦର ସବୁଜ ବନାନୀ
ଦିଶେ ଅତି ସୁନ୍ଦର ।
ଅପରୂପା ପ୍ରକୃତି ଶୋଭା
ହରଇ ଜନ ମନ
ପୁଣ୍ୟ ଭୂମି ମାତା ମୋହର
ତୋର ପାଦେ ପ୍ରଣାମ ।
ମାଆ, ମାତୃଭୂମି, ଓ ମାତୃଭାଷା
ଜଗତେ ବଡ଼
ତାଙ୍କ କରୁଣାରୁ ଛୋଟ ରୁ ମୁହିଁ
ହୋଇଛି ବଡ଼ ।
ତାଙ୍କ ଦାନ ଅଟେ ମହାନ
ଶୁଝି ପାରିବି ନାହିଁ
ସ୍ୱର୍ଗ ଠାରୁ ଜନ୍ମ ଭୂମି ଯେ
ବଡ଼ ଅଟେ ମୋ ପାଇଁ ।
