ରୁହେ ନୀରବ ତୁଣ୍ଡରେ
ରୁହେ ନୀରବ ତୁଣ୍ଡରେ
ଶ୍ରାବଣ ଆକାଶଟା
କେବେ ଘନନୀଳ ସାମିଆନା
ପୁଣି କେବେ କଳାହାଣ୍ଡିଆ ମୂର୍ଛନା
କିନ୍ତୁ ତୁମ ପାଇଁ
ଖଣ୍ଡ ଖଣ୍ଡ ଭସା ବାଦଲ
ଧଳା ବରଫ ଫୁଲ ପରି ହଲ ଚହଳ
କାରଣ ତୁମେ ଅସାଧାରଣ
ଆକାଶ ମାର୍ଗରେ କେତେଥର
ଉଡି ସାରିଲଣି
ଝରକା ପାଖ ସିଟରେ ବସିଲଣି
ଭଡ଼ାଜାହାଜରେ କମର ପଟି ବାନ୍ଧୁ ବାନ୍ଧୁ
ଝରକା କାଚ ପାଖରୁ
ଖଣ୍ଡ ଖଣ୍ଡ ସଫେଦ ବଉଦ ମାନଙ୍କୁ
କୁଆଡ଼େ ହାତ ପାଆନ୍ତାରେ ଦେଖିଲଣି
ଆମେ ହେଲେ ବର୍ଗରେ ସାଧାରଣ
କଥାରେ ଗୃହଲକ୍ଷ୍ମୀ
ହାଣ୍ଡୀଶାଳର ମହାରାଣୀ
ମାତ୍ର ପିଞ୍ଜରାବଦ୍ଧ ଜୀବନ ଏଠି
ଯେତେ ବୁଝେଇଲେ ବି
ସ୍ପଷ୍ଟିକରଣ ବଖାଣିଲେ ବି
ବ୍ୟର୍ଥ ପ୍ରୟାସ କରିଲେ ବି
ଫସର ଫାଟିବ ଆମ ଯୁକ୍ତି ବେଠି
ହସ ହିଲ୍ଲୋଳରେ ଉଡିଯିବ
ଧୂଳିଝଡ଼ ପରି ଆଖି ପିଚୁଲାକେ
କୁଆଡେ ମିଳେଇ ଯିବ
ଆମର ସତ ସତିକା ତଥ୍ୟମାନ
ଭିଡରେ ବ୍ରହ୍ମଜ୍ଞାନ ପରି
ଆଖି ତରାଟି ଝରି ପଡ଼ିବ
କିମ୍ଭୁତକିମ୍ଭାକାର କଟୁଶବ୍ଦମାନ
ଅଚିରେ ଅବିଲମ୍ୱେ
ପଦାନତ ହେବ ନାରୀ ସମ୍ମାନ
କାରଣ ପଚାରିବା ଏଠି ମନା
ଉତ୍ତର ଆଶା କରିବା ଅନୁଶୋଚନା
ତେଣୁ ନୀରବ ଦ୍ରଷ୍ଟା ରହେ
ମୁର୍ଖ ମାନଙ୍କ ଭିଡରେ
ତୁଣ୍ଡ ଖୋଲି ଅପମାନ ହଜମ କରିବା ଠାରୁ
ତୁଣ୍ଡି ମରା ଜୀବନ ବହେ
ଚୁଚୁନ୍ଦ୍ରା ଅସରପା ସହିତ କଳି
କରିବା ଯାହା
ଜିତି ଗଲେ ବି ହାତ ଗନ୍ଧେଇବା ସ୍ଵାହା
ତେଣୁ ରୁହେ ନୀରବ ତୁଣ୍ଡରେ
କିନ୍ତୁ ଚଞ୍ଚଳ ମୁଣ୍ଡରେ ମଗଜରେ
ଜାଣି ଶୁଣି ବାଛି ନେଇଛି
କର୍ମ କରିଚାଲ ନିରୋଳାରେ ନିଃଶବ୍ଦରେ ।
