କାହିଁକି ଦେଉଛ ଏତେ ଯେ ଦୁଃଖ
କାହିଁକି ଦେଉଛ ଏତେ ଯେ ଦୁଃଖ
ହୁଏ ବେଗବାନ ଜୀବନ ଲାଳସା
ଖୋଜଇ ମଣିଷ ସୁଖ ଆରାମ
ଧନ ମାନ ଭୋଗ କ୍ଷମତା ନିଶାରେ
ଦେଖାଇ ହୁଏ ସେ ଟାଣ ଅହମ ।
ମଦମତ୍ତ ହୁଏ ମଣିଷ ରାକ୍ଷସ
ହିତାହିତ ଜ୍ଞାନ ଗଲାଣି ହଜି
ହେଉ ଯେନ ତେନ ପ୍ରକାରେ ଦୁର୍ଜନ
କଳାଧନ ଠୁଳ କରୁଛି ପୁଞ୍ଜି ।
ବରଷା ଆଗମେ ହୁଅନ୍ତି ଉତ୍ତାଳ
ଉଡି ଝଡିପୋକ ପତଙ୍ଗ କୀଟ
ଆଲୋକ ପାବକ ଦେଖିଣ ଉନ୍ମତ୍ତ
ଝାସିଥାନ୍ତି ପ୍ରାଣ ବହୁ ସଂଖ୍ୟକ ।
ଅତି ବୁଦ୍ଧିମାନ ବୋଲାଏ ନିଜକୁ
ସିଏ ଶ୍ରେଷ୍ଠ ଜୀବ ଅତି ଚତୁର
ଶିଖେ ନାହିଁ ଦେଖି ହୁଏନି ସଂଯତ
ତୁୁଚ୍ଛ ଭାବାବେଗେ ହୁଏ ପାଗଳ ।
ଲୋଡା ବ୍ଯବହାର ବ୍ଯାପାର ପୂର୍ବରୁ
ଶିକ୍ଷା ପ୍ରାପ୍ତ ହୁଏ ସଂସ୍କାର ଥିଲେ
ଗୁରୁ ମାତାପିତା ଶୁଭାଶିଷ ବଳେ
ଜୀବନରେ ଶାନ୍ତି ସନ୍ତୋଷ ମିଳେ ।
ବୃଦ୍ଧିପାଏ ପାପ ଅନୀତି ଅନ୍ଯାୟ
ବଢେ ବ୍ଯଭୀଚାର ଓ ଦୁରାଚାର
ଦାୟୀ ହିଁ କେବଳ ସ୍ବାର୍ଥାନ୍ଧ ମଣିଷ
ଦାବାନଳ ସିଏ ଏ ସଂସାରର ।
ଅରଜୁ ମଣିଷ ଶୁଭ ବିଦ୍ଯାବୁଦ୍ଧି
ନହେଉ ପ୍ରଲୁବ୍ଧ ମାୟା ଓ ମୋହେ
ହେଲେ ମାତ୍ରାଧିକ ସାଂସାରିକ ବେଗ
ଧ୍ବଂସ ଅନିର୍ବାର୍ଯ୍ଯ ବୁଝୁ ସ୍ବାଧ୍ଯାୟେ ।
ନାଶ ଘୋର ତମ ଅଜ୍ଞାନାନ୍ଧକାର
କାହିଁକି ଦେଉଛ ଏତେ ଯେ ଦୁଃଖ
ଦିଅ ସଦବୁଦ୍ଧି ଜଗତର ନାଥ
ଉଦେ ହୁଅ ହୃଦେ ସୂର୍ଯ୍ଯ ବିବେକ ।
