ରୁଧିର ବେଉଷଣ
ରୁଧିର ବେଉଷଣ
ଆସିଛି ଋତୁ ଶ୍ରାବଣ ମହ୍ଲାର
ଝପା ଝପା ବର୍ଷାର ରୁମ୍ ଝୁମ୍ ସ୍ଵର
କାନନ କେଦାର ତୀର
ତଡାଗ ତଟିନୀ ନୀର
ପ୍ରଫୁଲ୍ଲିତ ଢ଼ଙ୍ଗେ ଝୁମୁଛନ୍ତି
ଇନ୍ଦ୍ରଧନୁ ଆଙ୍କି ଅମ୍ବରେ ଏକାକାର ।
ଦେଖିଲା ଆଜି ଏ ନେତ୍ର
ଭିନ୍ନ ଋତୁର କଷଣ ବର୍ଷଣ
ବାରମାସୀ ଭିନ୍ନ ଋତୁଚକ୍ର
ଯେମିତି ବିଦ୍ଧ ଛାତି ଛତ୍ର
ଲୁହ ନୁହଁ ଲହୁ ପଡୁଛି ନିଗିଡି
ଅମ୍ବର ବି ଥମିଯିବ
ପବନ ବି ଅଟକିବ
ଦେଖି ରୁଧିର ବେଉଷଣ ।
ପୂବେଇ ପବନ ଆଣେ
ବର୍ଷା ଝପାକୁ ଝପା
ସନ୍ତ ସନ୍ତିଆ ରାସ୍ତା ଘାଟ
କାଦୁଅ ପିଚିପିଚି ମଖା
ଉଦା ଲୁଗା ଶୁଖେନା
ଖରାପାଗ ଯମା ମିଳେନା
ଅଳସୀ ସରସୀ ଭର୍ତ୍ତି
କୂଳ ଲଂଘି ଧାଏଁ ଆନମନା ।
ଏଠି ଭିନ୍ନ ଋତୁର ମହା ମହୋତ୍ସବ
କାନ୍ଦଣା ଲହରୀ ମଧ୍ୟେ
ଶୁଭିଯାଏ ଅଶାନ୍ତ ମନର
ବ୍ୟାକୁଳିତ ପରିଚୟ
ଟପ୍ ଟପ୍ ଝରିପଡ଼େ
ତରଳ ଗରଳ ଲାଭା
ନାରୀ ମନ ବନରେ
ଖାଣ୍ଡବ ଦହନ ହୁଏ
ପ୍ରଶମିତ କେମିତି ହେବ ବିହ୍ନିପ୍ରଭା ।
କେବେ ଟୁପୁର୍ ଟାପୁର୍ ଶୁଭେ
ପତ୍ର ଗହଳେ
କେବେ ପଡ୍ ପଡ୍ ବର୍ଷିଯାଏ
ଲାଗେ ଅସମ୍ଭାଳେ
ପୁଣି କେବେ ମୂଷଳ ଧାରା
ଧରା ଧରଣୀ ଧରିତ୍ରୀ
ପ୍ଳାବନ କରଇ ସସାଗରା ।
ଦୂର ପାହାଡ଼ଗଣ ମୁଣ୍ଡରେ ବର୍ଷେ
ଭସା ମେଘଙ୍କୁ କୂଳରେ ବସେ
ମୁଣ୍ଡରେ ଚଢି କରନ୍ତି ଗେଲ
ମୌନ ତପସ୍ଵୀ ପରି ଦିଶେ ସ୍ଥବିର
ସହନ୍ତି ବରଷା ଧାର
ନ କରି ପ୍ରତ୍ୟୁତ୍ତର ।
ଋତୁ ବଦଳିବ ବର୍ଷା ସରିବ
ପ୍ରକୃତିର ନିୟମ
ଆଖିର ଋତୁ କେବେ ବଦଳିବ
ସମୟ ହିଁ ନିଷ୍କାମ ।
