କହି ହେଉନି କି ସହି ହେଉନି
କହି ହେଉନି କି ସହି ହେଉନି
ଜଳୁଥିଲେ ବନ ଜାଣନ୍ତି ସଭିଏଁ
ଜାଣନ୍ତିନି କିଏ ପୋଡିଲେ ବନ ,
ଦେଖାଇ ହୁଏନା ଅଜାଗା ଘାଆକୁ
ଘାରି ଦହଗଞ୍ଜେ ପ୍ରାଣ ଭୀଷଣ ।
ଘର ପରିବାର ହେଉଛି ଉଚ୍ଛନ୍ନ
ନାହିଁ ଗୁରୁ ଗୁରୁଜନ ସମ୍ମାନ,
ପାଏ ନାହିଁ ଶିଶୁ ମମତା ଆଦର
ଭାରି ଅସହାୟ ଲାଗେ ଜୀବନ ।
ଘର ଢିଙ୍କି ସବୁ ହୁଅନ୍ତି କୁମ୍ଭୀର
ଖାଇଯାଏ ଖେତ ଫସଲ ବାଡ ,
ଚାଲେ ଧର୍ମ ନାମେ ଠକାମୀ ଭଣ୍ଡାମୀ
ପାଇବାକୁ ନ୍ଯାୟ ଲାଗେ ଦଉଡ ।
ସ୍ବାସ୍ଥ୍ଯ ଉଚ୍ଚଶିକ୍ଷା ବଢାଉଛି ଚିନ୍ତା
ହେଉଅଛି କ୍ରମେ ବ୍ଯୟବହୁଳ ,
ମିଳେନାହିଁ ଖୋଜି କରମ ସଂସ୍ଥାନ
ଶିକ୍ଷିତ ବେକାର ନିନ୍ଦେ କପାଳ ।
ଅର୍ଥର ହୁଅଇ ବ୍ଯର୍ଥ ଉପଯୋଗ
କରେ କୁଜିନେତା ହାତ ଚିକ୍କଣ ,
ବାଟମାରଣାରେ ସେବା ବାଟବଣା
ଦୁଃଶାସନ କରେ ବସ୍ତ୍ର ହରଣ ।
ଲୁଣ୍ଠି ରାଜକୋଷ ରାତିକେ ହାତିଏ
ମାଲାମାଲ ହୁଏ ଜନ ସେବକ ,
କହି ହେଉନି କି ସହି ବି ହେଉନି
ଚାଲେ ରାମରାଜ୍ଯେ କି ଅରାଜକ ।
-----