ପ୍ରଦୀପ
ପ୍ରଦୀପ
ଆସିଛି ଭୂମିରୁ ମିଶିଯିବି ସେଇ ମା'ର ମୃତ୍ତିକାରେ ,
ଅଢେଇ ଦିନର ଜୀବନେ ସମ୍ୟକ୍ ଆଶା ସଞ୍ଚାରେ ,
ଦେଖାଇବି କିଛି ଆଲୋକର ପଥ ଅମା ଅନ୍ଧକାରେ ।
ଅଜଣା କେଉଁଠି ସ୍ଥାନ ମୋ ସେଇ ସ୍ରଷ୍ଟାଙ୍କ ବିଚାରେ ,
ଜଳିଜଳି ତାଙ୍କରି ପୟରେ ହଜିଯିବି ଶ୍ରୀନୟନରେ ।
ମାତ୍ରାଧିକ ଥିଲା କେଉଁ ଯୁଗେ ମହତ ମୋ ବସୁଧାରେ !
ବିଜ୍ଞାନର ଅଦ୍ଭ୍ୟୁଦୟେ ଆଉ ମୋତେ କିଏସେ ପଚାରେ ?,
ବଞ୍ଚିଛି ତ ଜାତି ମୋର କୃପାମୟଙ୍କ ପୂଜା ଅର୍ଚ୍ଚନାରେ ।,
ଗଢାହେଲା ମୋର ଅବୟବ ଶକ୍ତ ସ୍ୱର୍ଣ୍ଣିଳ ଧାତବରେ ,
ଭରିଯାଏ ଜୀବନୀ ଅଧିକ କାଳିମା ପୋଛିବା ଇଛାରେ ।
ନିହାଣ ବି ଆଙ୍କିଥିଲା ଦିନେ ମୋତେ ପ୍ରସ୍ତର ବୁକୁରେ,
ଜଳୁଥାଏ ଦିବାରାତ୍ରୀ ମହାପ୍ରଭୁଙ୍କ ଗମ୍ଭୀରି ଭିତରେ ।
ରାଜପ୍ରାସାଦ ଦୁର୍ଗେ ଜଳିଜଳି ଲଢୁଥିଲି ଶର୍ବରୀ ସାଥିରେ ,
ପାଟରାଣୀ ସୌନ୍ଦର୍ଯ୍ୟ ଫୁଟାଇବାକୁ ଜଳେ ଦର୍ପଣ ପାର୍ଶ୍ଵରେ ।
ବଢିଯାଇ ଆସକ୍ତି ମୋହ ତନମନ ଭରିଯାଏ ଗର୍ବରେ ।
ଭୁଲିଯାଏ ଫେଡିବା ମୋ ତଳ ଅନ୍ଧକାର ଜଳିବା ନିଶାରେ ,
ଜାଳିବାକୁ ପୁଣି ମନର ତିକ୍ତଅଙ୍ଗାର ଅଦୃଶ୍ୟ ଅହଂକାରେ।
ହୋଇ ନାହିଁ ଦଗ୍ଧ କିନ୍ତୁ ଧରି ହୁତାଶନ ଅହରହ ମୁଖରେ ।
ଗୁଣୀ ବିସ୍ତାରେ ଜ୍ଞାନ ମୋର ସାମାନ୍ୟ ଜ୍ୱଳନ୍ତ ବହ୍ନିରେ ,
ଧ୍ରୁତ ଆଚରେ କୁଟିଳତା ଶିଖା ତଳର ଅନ୍ଧାର ପଛରେ ।
ଜନମି ନ ଥିଲି ଖାଲି ଲଢିବାକୁ କଳା ନିଶିଥିନି ସାଥିରେ ,
ଢାଳେ ଅଶ୍ରୁହୀନ ଶ୍ରଦ୍ଧାଞ୍ଜଳି ସ୍ୱର୍ଗୀୟ ଛବି ନିକଟରେ ।
ଭାସେ କେବେ ଖୁସିର କୁନିବୋଇତେ ନଦୀ,ସରୋବରେ ,
ମିଞ୍ଜିମିଞ୍ଜି ଦେଖୁଥାଏ ସଂଧ୍ୟା ଅଗଣାର ଚଉରାମୂଳରେ ,
କେବେ ତ ପୁଣି ବାରଣ୍ଡା ,ପାଚେରି , ଛାତର କାନ୍ଥରେ ,
ଉଡିଯାଏ ଅନ୍ତେ ଆକାଶଦୀପଟି ଇନ୍ଦୁବିହୀନ ଗଗନରେ ।