ପୁରୁଣା ଚିଠି
ପୁରୁଣା ଚିଠି
ନୂଆଘର ଗୃହପ୍ରବେଶ ତାରିଖ
ପାଖେଇ ଆସୁ ଆସୁ
ପୁରୁଣା ମାଟିକାନ୍ଥ
ଝାଟିମାଟି ଘରୁ
ଜିନିଷ ଖୋଜାଖୋଜି ବୋହାବୋହି
ହାତ ଫୋଟକା ଘଷୁ ଘଷୁ
ଆଳିକା ମାଳିକା ସିନ୍ଦୁକ
କାଠ ବାକ୍ସ ଫଟା ଫାଟକ
ମା'ର ଯୌତୁକ ବେଳର ପେଟରା
ଅସିହା ବେଳର ମସିହା ଟ୍ରଙ୍ଗ ପସରା
ଦରାଣ୍ଡି ଅଣ୍ଡାଳି ବସୁ ବସୁ
ହାତରେ ପଡିଗଲା
ତୁମ ହାତଲେଖା ପୁରୁଣା ଚିଟାଉ
ଆଖିରେ ଚମକ
ମୁଁହରେ ଛଟକ
ଖୁସିରେ ଆତ୍ମହରା ମହକ
ଯେମିତି ବିଶ୍ଵକପ ହାତ ମୁଠାରେ
ବହୁତ ଦିନ ପରେ
ବିଳମ୍ବରେ ଚାରି ଦଶନ୍ଧି ପରେ
ହେଲା ତ ହେଉ ।
ଚିଠି କୁ ଛୁଇଁଲି
ଲାଗିଲା ତୁମକୁ ଛୁଇଁ ଦେଲି
ଗୋଲ ଗୋଲ ଅକ୍ଷର
ଦେଖୁ ଦେଖୁ ଓଠରେ ଲଗେଇଲି
ଲାଗିଲା ତୁମର
ନାଲିଆମ୍ବ ପରି
ଲାଲ୍ ଟକଟକ
ଗୋରା ତକତକ
ଗାଲକୁ ଚୁମି ଦେଲି
ଆମୂଳ ଚୁଳ ପଢିଦେଲି
ଏକା ନିଃଶ୍ଵାସରେ
ତୁମ ଛବି ନାଚୁଥିଲା
ମୋ ମନ ଆକାଶରେ
ଅର୍ଦ୍ଧ ଶତାବ୍ଦୀ ତଳେ
ବାଣୀବିହାର କ୍ୟମ୍ପସ୍ ରେ ।
ମଲା ଅକ୍ଷର ସବୁ
ପାଇଗଲେ ଜୀବନ୍ୟାସ
ନୀରବ ଭାଷାରେ ଉପନ୍ୟାସ
ଲିଖିତ ମହ୍ଲାରେ ପୂର୍ବାଭାଷ
ଦେହ ଭିତରେ ପହଁରି ଯାଉଥିଲା
ଅପୂର୍ବ କଳ୍ପନାତୀତ ଉଚ୍ଛାସ
ଅପୂର୍ବ ଅତୀନ୍ଦ୍ରୀୟ ଦୀର୍ଘଶ୍ଵାସ ।
ସତେ ଯେମିତି ତୁମେ କଥା କହୁଥିଲ
ଅଳପ ଅଳପ ହସ ଆକୁଟେଇ
ଚୂର୍ଣ୍ଣ କୁନ୍ତଳକୁ ବାରମ୍ଵାର କାନ ଉପରକୁ
ଟେକୁଥିଲ ଭୂଉଁରେ ଗାରେଇ
କଞ୍ଚା ହଳଦୀର ବାସ୍ନା ବାରି ପଡ଼ୁଥିଲା
ନାକ ପୁଡାରେ ଗନ୍ଧ ସୁବାସ
ଆଉଁସି ଦେବାକୁ ପୋଷି ବିଲେଇକୁ
ବାଁ ହାତ ପୁରେଇ ପଛରେ ବାସ ।
ସମୟର ଅସ୍ତାଚଳେ
ତୁମେ ପୂଜାରିଣୀ ଅନ୍ୟ ଦେଉଳେ
ମୁଁ ବି ବ୍ୟସ୍ତ ସଂସାର ଜଞ୍ଜାଳେ
ମାତ୍ର ପ୍ରଥମ ପ୍ରେମର ସିହରଣ
ପ୍ରଥମ ଅତର ବୋଳା ଚିଠିର ସମୀରଣ
ଆଜି ବି ଆଣି ପାରୁଥିଲା
ଅଜସ୍ର କଳ୍ପନା ଫଗୁଣ
ଫଗୁ ବୋଳା ଚନ୍ଦନ ଆଘ୍ରାଣ ଆପ୍ରାଣ ।
କୁଆଡେ ଗଲୁ କିରେ ---- ବୋଭର କୁହାଟ
କୌତୁକିଆ ଭାବନାରେ ପୂର୍ଣ୍ଣଛେଦ
ତରକି ମରକି
ସହମି ଭଡକି
ନସମା ନହନହକ ଚଉତା ଚିଠିଟା
ତର୍ଜନୀ - କନିଷ୍ଠା ମଧ୍ୟରେ ପେଷିପିଟା
ଫର୍ କରି ଚିରିଗଲା ଯେମିତି ଛାତିଫଟା
ଯାଉଛି ବୋଉ -- କହି ତ
ଅତରଛିଆ ଧାଇଁଲି
କେଇ ଟୋପା ଲୁହ
ଲଗାଇଥିଲେ ସୁଅ
ପରିସ୍ଥିତି ଚାପରେ
ଅଟକେଇବାକୁ ବାଧ୍ୟ ହେଲି
ବୋଧେ
ବସ୍ତିର୍ଣ ଆଖି ପଠାରେ
ବିଲୀନ ହେଲେ ବୋଲି ।