ମୁଠାଏ ଫୁଲ
ମୁଠାଏ ଫୁଲ
ଠାକୁର ଆଗରେ ନିତି
ହାତଯୋଡି କରୁଥିଲି କାକୁତି ମୀନତି
ମାଗୁଥିଲି ମନେ ମନେ
ମୁଣ୍ଡପାତି ନିମ୍ଳିତ ନୟନେ
ଧନ ଜନ ମାନ ସମ୍ମାନ ଯଶ କିର୍ତ୍ତି ।
ଅର୍ପୁଥିଲି ମୁଠାଏ ଫୁଲ
ଫୁଲ ଚନ୍ଦନରେ ଭରା ଜୀବନ ମୂଲ
କେତେ ନେହୁରା ହୋଇ
ଜଣାଉଥିଲି ଦୁଃଖ ସହିବାର ସାହସ ପାଇଁ
ଆଜି ମିଳିଗଲା
ଫୁଲ ଫଳରେ ଲଦା ଭରା ପୂରା ଭପବନ ।
ମାଗୁଥିଲି ବାପା- ବୋଉଙ୍କ ପାଇଁ
ଆଞ୍ଜୁଳାଏ କରୁଣା ବାରୀ
ଗୁଣୁ ଗୁଣୁ ମନ୍ତ୍ର ଆବୃତ୍ତି ଭିତରେ
ନିଃରୋଗ ଶେଷ ଜୀବନ ତରୀ
କେଇ ବୁନ୍ଦା ଗଙ୍ଗାଜଳରେ ପାଦୁକ
ପାଉ ପାଉ ମିଳିଗଲା
ପର୍ବତ ପ୍ରମାଣ ଖୁସିର ସ୍ତବକ ।
ଆଖି ବନ୍ଦ ଥିଲା ଉପରେ ଉପରେ
ଅନ୍ତଃର୍ମନରେ ବେସୁମାର କୌତୁହଳ
ଫୁଟୁଥିଲା ଅବ୍ୟକ୍ତ ବେଦନା ଗଵଗଵ
ମନ ମସ୍ତିକ ଫଟେଇ ହଳାହଳ
ଗର୍ବ ଅହଁକାର ସବୁ ନିଅ ଉଭେଇ
ଫେରିବାର ଶେଷ ରାସ୍ତାରେ
ମିଳୁଥାଉ ବିଭୁ ମକରନ୍ଦ ପଳ ପଳ ।
ସମସ୍ୟା ଘେରିଲେ ବାରମ୍ଵାର
ଈଶ୍ଵର ବିଶ୍ଵାସ କରୁଥାଏ ଥରକୁ ଥର
ସବୁ ଦିଗରୁ ହରେଇଲେ ଆଶା ବିଶ୍ଵାସ
ଜଗନ୍ନାଥ ମୋର ଶେଷ ଆଶ୍ଵାସ
ବୁଝି ପାରୁନି ଏ ଦୀନ ହୀନ ଅକିଞ୍ଚନ
ଆଜିଯାଏ ବି ଅବୁଝା ଅସୁଝା
ରହିଗଲା ଚିନ୍ତନ ଚେତନ
ଅନାଲୋଚିତ ଦିଗଟା
ଜଡହୀନ ଅଧ୍ୟାତ୍ମକି ବୃତ୍ତିଟା
ଲାଗୁଥିଲା ସର୍ବଶାରଶୂନ୍ୟ ।
କାହିଁକି କାହିଁକି ଏ ପ୍ରହସନ
କରୁଥାଏ ମୁଁହି
ଥର କୁ ଥର
କାହାକୁ ନ କହି
ନାଟକୀୟତା ବଢୁଥାଏ
ଯାଚନା - ପ୍ରାର୍ଥନାରେ ଦିଶିଯାଉଥାଏ
ଅସାର ସଂସାର ଭିତରେ
ମୋକ୍ଷ ପାଗଳ ମଣିଷ
କାହିଁକି କରି ଚାଲୁଛି
ବହୁ ଆଡମ୍ବରେ
ପୂଜନ ଭଜନ ଭୋଜନ କୀର୍ତ୍ତନ
ଅସଲ ବେଳକୁ ଧୀମା ଧୀମା ସ୍ୱରେ
ଶୁଭୁଥିଲା ସବୁ ଭକ୍ତିଶାରଶୂନ୍ୟ ।