ଷଷ୍ଠୀ ଘର
ଷଷ୍ଠୀ ଘର
ଷଷ୍ଠୀ ଘର ମାଖରା ପଡିଛି
ଯାହା ହାତ ସ୍ପର୍ଶରେ ସତେଜ ଲାଗେ
ସେ ଚାଲିଯାଇଛି
ସ୍ୱର୍ଗକୁ ନିଶୁଣି ପକେଇ ଚଢ଼ିଗଲା ବେଳେ
ଭାବିଲାନି ତା ପିଲାମାନଙ୍କ ପାଇଁ
ଅଖଣ୍ଡ ଦୀପ ହନୁମାନ ଚାଳିଶା
ଷଷ୍ଠୀ ଘର ଭାର କିଏ ନେବ
ସମସ୍ତେ କୁହନ୍ତି ବୋଉ ଯାହା ପାଇଁ ଯାହା ହେଉ
ସନ୍ତାନଙ୍କ ପାଇଁ ଚନ୍ଦନ ତୁଳସୀ
ସକାଳ ଧୂପ ସଞ୍ଜ ଆଳତୀ
ବୋଉ ଯିବା ପରେ ଦୀପ ଧୂପ ନାହିଁ
ଷଷ୍ଠୀ ଘର ଓଳା ଯାଇନାହିଁ
ବୋଉର ଆୟୁଷ ନଥିଲା
ସନ୍ତାନଙ୍କ ପାଇଁ ଆୟୁଷ ଆଶିଷ ନିରୋଗ
ମାଗିବାକୁ ଆକାଶକୁ ନିଶ୍ଚେ ଚାଲିଗଲା
ଦୁଃଖର ପେଡିକୁ ଲୁଚାଇ
ଯନ୍ତ୍ରଣା ସବୁକୁ ଢ଼ୋକିଦେଇ
ନିଶୁଣି କେମିତି କେତେବେଳେ ପକାଇଲା
ମାଆଟି ଥିଲା ବୋଲି ସିନା
ପାନଡାଲା ଗୁଆକାତି ନଖକଟା ଗିନା
ସବୁ ଅଛି କିଛି ନାହିଁ
ଠାକୁର ଓ ଠାକୁର ଘର ଖଟୁଲିରେ
ବୋଉର ତୁଳସୀ ମାଳି ଆଲେଣାରେ
ଖତେଇ ହୋଇ କହୁଛି
ଜିଇ ଥିଲା ବେଳେ ନଦିଅନ୍ତି ତୁଣ୍ଡେ
ମରିଗଲେ ଦିଅନ୍ତି ବେଣା ମୁଣ୍ଡେ
ହେଲେ ବୋଉର କି ଅଭାବ ଥିଲା
ସନ୍ତାନ ସୁଖେ ଦୁଃଖେ ପାଲା ଓ ଦାସକାଠିଆ
ସବୁ ସାରିଦେଇ, ମାଛ କିଛି ନାହିଁ
ବୋଉଲୋ ଦେଖିଯା ମୁଗୁର ପଡିଛି
ସାହାଣ ମେଲା ।