ଫେରେଇ ଦିଅ ମୋ
ଫେରେଇ ଦିଅ ମୋ
ଦେବାକୁ ଚାହୁଁଛ ଯଦି
ଫେରେଇ ଦିଅ ମୋ
ସ୍ବପ୍ନିଳ ବାଲ୍ୟକାଳ
ଯହିଁ ଥିବ ନାହିଁ ଜମା
ଚିନ୍ତା ଆଶଙ୍କାର ହଳାହଳ ।
ଦେବାକୁ ଚାହୁଁଛ ଯଦି
ଫେରେଇ ଦିଅ ମୋ
ବ୍ୟାକୁଳ ସ୍କୁଲ ବେଳ
ସାଙ୍ଗ ମେଳେ ନ ଥିବ ଜମା
ସମୟର ଚକ୍ରବାଳ
ମଜା ମସ୍ତି ଖେଳ କୁସ୍ତି ଭିତରେ
ଅନନ୍ତ ରାସ ମେଳ ।
ଦେବାକୁ ଚାହୁଁଛ ଯଦି
ଫେରେଇ ଦିଅ ମୋ
କଳ୍ପିତ ସାମ୍ରାଜ୍ୟ
ଯହିଁ ଥିବ ନାହିଁ ଜମା
ରାଗ ରୋଷ ଅଭିମାନର ଫଉଜ ।
ଦେବାକୁ ଚାହୁଁଛ ଯଦି
ଫେରେଇ ଦିଅ ମୋ
ମୁକୁଳା ଯୌବନ
ଯହିଁ ଥିବ ନାହିଁ ଜମା
ରୁଗ୍ଣ ମାନସିକତାର ପ୍ରତିଫଳନ ।
ଦେବାକୁ ଚାହୁଁଛ ଯଦି
ଫେରେଇ ଦିଅ ମୋ
ବାଣୀବିହାର ଛାତ୍ରାବାସ
ଯହିଁ ଥିବ ଖାଲି
ସ୍ଵାଧୀନ ବିଚାର ଅନନ୍ତ ବିହାର
କୃଷ୍ଣଚୂଡାର ଶିହରିତ ମଧୁମାସ ।
