ସମୟ ସୁଅରେ ଜରାଶ୍ରମ
ସମୟ ସୁଅରେ ଜରାଶ୍ରମ
ସମାଜ ଗଠନେ ପିତାମାତା ଦାନ
ଯୁଗେ ଯୁଗେ ମହନୀୟ,
ସନ୍ତାନ ସନ୍ତତି ଭବିଷ୍ୟ ଗଢ଼ନ୍ତି
ପରିବାରେ ପୂଜନୀୟ |
ବାତ୍ସଲ୍ୟ ମମତା ସେନେହ ଶରଧା
ଅନାବିଳ ପ୍ରେମଡୋରେ,
ଘରେ ପରସ୍ପର ମଧ୍ୟେ ସରଗର
ସୁଖ ନିରନ୍ତର ଝରେ |
ବିଧାତାଙ୍କ ଶ୍ରେଷ୍ଠ ବରଦାନ ପିତା
ମାତା ହିଁ ସନ୍ତାନ ପାଇଁ,
ସନ୍ତାନର ହିତେ ପ୍ରାଣ ସମର୍ପିତ
କର୍ତ୍ତବ୍ୟର ଅନ୍ତ ନାହିଁ |
ସ୍ନେହମୟୀ ମାତା ଲାବଣ୍ୟ ମୂରତି
ମମତାର ନିରିଝର,
ବିପଦେ ଆପଦେ ରୋଗ ଶୋକ ଖେଦେ
ସେବା କରେ ନିରନ୍ତର |
ପିତା ମାତା ଆମ ଚଳନ୍ତି ଦେବତା
ଏ ସଂସାରେ ସଦା ସାହା,
ସବୁ ଦୁଃଖ ସହି ଆଖି ଲୁହ ପିଇ
ବିପଦେ ଦେଖାନ୍ତି ରାହା |
ସମୟ ସୁଅରେ ବଦଳି ଯାଏରେ
ସଂସାରର ଚିତ୍ରପଟ,
ସେଇ ସମର୍ପିତ ପିତୃମାତୃ ହୃଦ
ବାର୍ଦ୍ଧକ୍ୟରେ ଛଟପଟ |
ଆଧୁନିକତାର କ୍ରୁର ପ୍ରଭାବରେ
ପୁତ୍ର ହୁଏ ବାଟବଣା,
ସ୍ୱ କର୍ତ୍ତବ୍ୟ ଭୁଲି ପାଦେ ଦେଇ ଠେଲି
ଖୋଜନ୍ତି ସୁଖ ଠିକଣା |
ଶିକ୍ଷିତ ସନ୍ତାନ ସହରୀ ଜୀବନ
ସୁଖ ଆପଣେଇ ନିଏ,
ଘରେ ଅସହାୟ ବୃଦ୍ଧ ପିତାମାତା
ଛାଡ଼ିଦେଇ ଚାଲିଯାଏ |
ଅବସ୍ଥା ଚକ୍ରରେ ଜରା ଆଶ୍ରମରେ
ଅସହାୟ ପିତାମାତା,
ଅତୀତ ସୁମରି ଭାଗ୍ୟକୁ ଆଦରି
ଦୁଃଖେ ପିଟୁଥାନ୍ତି ମଥା |
ପୁତ୍ର,ପୁତ୍ରବଧୁ ନାତିନାତୁଣୀଙ୍କ
ହସଖୁସିର ସଂସାର,
ଏ ପୋଡା କପାଳେ ସ୍ବପ୍ନ ବୃଦ୍ଧ କାଳେ
ସମୟ ହୁଏ ନିଷ୍ଠୁର |
କାହିଁକି ସମୟ ଏଡ଼େ ନିରିଦୟ
ବୃଦ୍ଧ ପିତାମାତା ପାଇଁ,
ସେହି ପୁତ୍ର ମନେ ସଦବୁଦ୍ଧି ଜ୍ଞାନ
ଚେତନାକୁ ଯାଉ ଛୁଇଁ |
