ପ୍ରେୟସୀ ମୋ' ଋତୁପ୍ରିୟା
ପ୍ରେୟସୀ ମୋ' ଋତୁପ୍ରିୟା
ତୁମେ ବୈଶାଖର ମନ ସାହାରାରେ
ନିରିଜନ ମରୁ ଉଦ୍ୟାନ ଝର,
ତୃଷିତ ପରାଣେ ତୃଷା ନିବାରଣେ
ଅମୃତ ପରାୟେ ଶୀତଳନୀର |
ତୁମେ ଶ୍ରାବଣର ବରଷାର ଧାରା
ନୀଳ ମେଘେ ଖେଳ ଚପଳା ପରି,
ମନ ଉପବନେ ଉଭା ପ୍ରତିକ୍ଷଣେ
ସବୁଜିମା ଦିଅ ଜୀବନେ ଭରି |
ମୋ ମନ ଆକାଶେ ଶରଦର ଶଶୀ
ବିମଳ ଜୋଛନା ଦେଉଛ ବୁଣି,
କାହା ଇସାରାରେ ଚପଳ ଛନ୍ଦରେ
ସପନ ରାଇଜେ ନେଉଛ ଟାଣି |
ତୁମେ ସକାଳର କଅଁଳ ଖରାରେ
ବିରୁଚି ଶିଶିର ମୁକୁତା ବିନ୍ଦୁ,
ବିନ୍ଦୁ ପରେ ତୁମ ପ୍ରେମ ପ୍ରତିବିମ୍ବ
ସତେକି ଉଦିତ ପୂର୍ଣ୍ଣିମା ଇନ୍ଦୁ |
ଶୀତ ମାଉସୀର ଶୀତଳ ପରଶେ
ସୁନାର ଲହରୀ ସୋରିଷ କ୍ଷେତେ,
ହଳଦୀ ରଙ୍ଗରେ ସୁନାର ମୁରୁଜ
ହଜିଯାଅ ପ୍ରଜାପତିଙ୍କ ସାଥେ |
ଆମ୍ବ ବଉଳରେ କୋଇଲିର କୁହୁ
ଋତୁରାଜ ସାଥେ ଚୋରା ମଳୟ,
କୃଷ୍ଣଚୁଡ଼ା ରଙ୍ଗେ ରଙ୍ଗାଇ ତୁମକୁ
ପ୍ରେମର ସନ୍ଦେଶ ଦେବେ ନିଶ୍ଚୟ |