ମୁଁ ଖୋଜୁଛି ମୋ ଗାଆଁ
ମୁଁ ଖୋଜୁଛି ମୋ ଗାଆଁ
ସକାଳ ସୂରୁଯ ସୁନେଲି କିରଣେ
ହସୁଥିଲା ମୋ ଗାଆଁ,
ଆଜି ମୁଁ ଦେଖୁଛି ବଦଳି ଯାଇଛି
ତା ' ପଲ୍ଲୀ ପ୍ରକୃତି ଆହା ।
ବୃକ୍ଷଲତାରାଜି ଶୋଭାପାଉଥିଲା
ମୋ ଗାଆଁ ଚଉପାଶ,
ତୋଟା ଛାଇ ତଳେ ଗୋରୁ ମେଷ ପଲ
କି ସୁନ୍ଦର ପରିବେଶ ।
ମନେ ପଡ଼େ ଆଜି ପିଲାବେଳ କଥା
ବର ଓହଳରେ ଦୋଳି,
ଦୋଳି ଖେଳୁଥିଲି ସାଙ୍ଗ ସାଥୀ ମେଳେ
ଖାଉଥିଲି କେତେ କୋଳି ।
ରାତି ପାହୁ ପାହୁ ଶୁଭୁନାହିଁ ଆଉ
କାଉ ରାବ 'କାଆ' 'କାଆ',
କିଏ ଗୋବରରେ ଅଗଣା ଲିପିବ
ଆର ପାରି ଗଲା ମାଆ ।
ଆମ୍ବ ବଉଳରୁ ଶୁଭୁନାହିଁ କାହିଁ
କୋଇଲିର କୁହୁ କୁହୁ
ମହୁଲ ଫୁଲର ମିଠା ମିଠା ବାସ
ଭାସି ଆସୁନାହିଁ ଆଉ।
ବିଲେ ଚସାପୁଅ ମନ ମତାଣିଆ
ସଙ୍ଗୀତର ଧ୍ଵନି ନାହିଁ,
ପଦୁଅଁ ପୋଖରୀ କାଚକେନ୍ଦୁ ଜଳେ
ହଂସ ହଂସରାଳି କାହିଁ ।
ଯାଇଛି ସେ କାଳ ଆସିଛି ଏ ବେଳ
ବଦଳିଛି ଚିତ୍ରପଟ୍ଟ,
ପଲ୍ଲୀ ପ୍ରାଣ ଆଜି ଅତୀତକୁ ଖୋଜି
ଖାଲି ହୁଏ ଛଟପଟ ।
ମନେପଡ଼େ ଗାଆଁ ଜଟିଆ ଅଜାଙ୍କ
ଗୁଲି, ପହେଳିରେ ମଜା,
ରାହାସ ମଉସା ମିଠା ପସରାରୁ
ଖାଉଥିଲି କୋରା ଖଜା ।
କୁଆଁର ପୂନେଇଁ ଜହ୍ନ ଆଲୁଅରେ
ପୁଅଝିଅଙ୍କର ମେଳ,
ଗାଁ ଦାଣ୍ଡେ ଲାଗେ ଗହଳ ଚହଳ
ବହୁଚୋରୀ ପୁଚିଖେଳ ।
ଭାଗବତ ଟୁଙ୍ଗୀ ଜ୍ଞାନାମୃତ ବାଣୀ
ହରିନାମ ସଂକୀର୍ତ୍ତନ,
ମେଳା ମହୋତ୍ସବ ଭାଇଚାର ଭାବ
ଆଜି ତ ସାତସପନ ।
ଯୌଥ ପରିବାର ଆଜି ଲୁପ୍ତପ୍ରାୟ
ପାଚେରୀ ମଝି ଦୁଆରେ,
ସେନେହ ଶରଧା ମମତା ବନ୍ଧନ
ତୁଟିଯାଏ ପରସ୍ପରେ ।
ରୋଜଗାରୀ ପୁଅ ସହରୀ ଜୀବନ
ସୁଖ ଆପଣେଇ ନିଏ,
ଘରେ ଅସହାୟ ବୃଦ୍ଧ ପିତାମାତା
ଛାଡ଼ିଦେଇ ଚାଲିଯାଏ ।
ମଧୁମୟ ପଲ୍ଲୀ ଅନୁଭୂତି, ସ୍ମୃତି
ସଂସ୍କୃତି ଯାଇଛି ହଜି,
ହଜିଛି ମଣିଷ ପଣିଆ ତ ଆଜି
ପ୍ରକୃତି ସୌନ୍ଦର୍ଯ୍ୟ ରାଜି ।
ଆଧୁନିକତାର କିମିଆଁ ଛୁଆଁରେ
ହଜି ଯାଇଛି ମୋ ଗାଆଁ,
ଯେତେ ଖୋଜିଲେ ବି ପାଉନାହିଁ ତାକୁ
ମାଆ ପରି ଥିଲା ସାହା ।
