STORYMIRROR

Binay Kumar Samal

Inspirational

4  

Binay Kumar Samal

Inspirational

ଫୁଲେଇ ଫଗୁଣ କରିଛି ମାନ

ଫୁଲେଇ ଫଗୁଣ କରିଛି ମାନ

1 min
286


ଫୁଲେଇ ଫଗୁଣ କରିଅଛି ମାନ

   ଅଭିମାନିନୀ ତ ସିଏ,

ମନେ ଭରି କେତେ ଆଶା ସେ ଆସିଛି

     ତାକୁ ପଚାରୁଛି କିଏ ?

ଧରିତ୍ରୀ ମା' କିଆଁ ଏଡ଼େ ନିରିଦୟ

   କରେ ତାକୁ ହୀନିମାନୀ,

ତରୁଲତା ପ୍ରାଣେ ସରସତା ନାହିଁ

   ଶ୍ରୀହୀନା ପ୍ରକୃତିରାଣୀ |

ଦକ୍ଷିଣରୁ ମୃଦୁ ମଳୟ ବହୁନି

  ବଉଳର ବାସ କାହିଁ ?

ଚୁତ ଗହଳରେ କୁହୁ କୁହୁ ତାନେ

   କୋଇଲି ବି ଗାଉ ନାହିଁ |

ନବପଲ୍ଲବର ସମ୍ଭାର ହରାଇ

   ମ୍ଳାନ ବନଲତା ରାଜି,

କୃଷ୍ଣଚୂଡ଼ା, ରକ୍ତ ପଳାସ, ରଙ୍ଗଣି

 ଫିକା ଫିକା ଲାଗେ ଆଜି |

ମାନିନୀ ଫଗୁଣ ସ୍ୱାଗତେ ପ୍ରତୀକ୍ଷା

    ବିରାଜିବେ ଋତୁରାଜେ,

କେମିତି କରିବ ଆବାହନ ତାଙ୍କୁ

   ମଥା ନଇଁଯାଏ ଲାଜେ |

ଶରଧାରେ ମଥା ପରେ ହାତ ରଖି

    କହିଲେ ଧରିତ୍ରୀ ମାତା,

ଜଳବାୟୁ ମାଟି ପ୍ରଦୂଷଣ ହେତୁ

   ଆଜି ମୁଁ କ୍ଷତବିକ୍ଷତା |

ଲୋଭି ମଣିଷଟା ବିକାଶ ନାମରେ

    ଜଙ୍ଗଲରୁ ବୃକ୍ଷ କାଟେ,

ଆବଶ୍ୟକ ଠାରୁ ଅଧିକ ସମ୍ବଳ

  ମୋ ଛାତିକୁ ଚିରି ଲୁଟେ |

ପ୍ରକୃତିର ଗତିବିଧି ସ୍ଥିତି ଏଣୁ

   ଓଲଟ ପାଲଟ ସବୁ,

କଳ କାରଖାନା ଧୂଆଁ ଧୂଳିକଣା

   ପ୍ରକୃତିକୁ କରେ କାବୁ |

ପ୍ରକୃତିର ଏଇ ବିପର୍ଯ୍ୟୟ ପାଇଁ

 ମୁଁ ତ କେବେ ନୁହେଁ ଦାୟୀ,

ପରିବେଶ ପାଇଁ ପ୍ରକୃତି ବଞ୍ଚିଛି

   ବୁଝୁନି ମଣିଷ ଭାଇ |



Rate this content
Log in

Similar oriya poem from Inspirational