ଅମରପ୍ରେମ
ଅମରପ୍ରେମ
ଜହ୍ନ ଉଇଁଲେ ଆକାଶେ ବଉଳଲୋ
ସରସୀରେ ଫୁଟେ କଇଁ,
କେଡ଼େ ସରାଗରେ ରୂପେଲି ଜୋଛନା
ତନୁ ମନ ଯାଏ ଛୁଇଁ ।
ବିମଳ ଜୋଛନା ପରଶ ପୁଲକ
କଅଁଳ ମନକୁ ରସେ,
କଣେଇ କଣେଇ ଜହ୍ନକୁ ଚାହିଁକି
କଇଁଟି ଲାଜେଇ ହସେ ।
ଚନ୍ଦ୍ରାଲୋକେ ଗଗନରେ ତାରାପନ୍ତି
ଦିଶୁଥାନ୍ତି ଝିଲିମିଲି,
କଇଁ ପ୍ରେମ ଦେଖି ଉଲ୍ଲସିତ ମନେ
ହସୁଥାନ୍ତି ଖିଲି ଖିଲି ।
କେବେ ପୁଣି ତାରା ଇର୍ଷାରେ ଜଳନ୍ତି
ନିଜେ ଭାଗ୍ୟହୀନ ଚିନ୍ତି,
ପ୍ରେମ ବିନା ନିଜ ଜୀବନ ଅସାର
ସାଥୀ ବିନା ଯାଏ ବିତି ।
କେତେ ଦୂରେ ଶଶୀ କେତେ ଦୂରେ କଇଁ
ପ୍ରେମ ଅଭେଦ ତାଙ୍କର,
ଶୁଦ୍ଧ ସ୍ୱଚ୍ଛ ପ୍ରେମ ତ୍ୟାଗର ପ୍ରତୀକ
ନିତ୍ୟ ଶାଶ୍ୱତ ସୁନ୍ଦର ।
ଦୁଇଟି ହୃଦୟ ପରସ୍ପର ପାଇଁ
ସଦା ସମର୍ପିତ ଥାଏ,
ଜୀବନେ ମରଣେ ନିବିଡ଼ ସଂପର୍କ
ଅମ୍ଳାନ ଅତୁଟ ରହେ ।
କେତେ ଝଡ଼ଝଞ୍ଜା ବାଧାବିଘ୍ନ ସତ୍ୱେ
ଶ୍ୱାଶ୍ବତ ପ୍ରେମର ଜୟ,
ଅମର ପ୍ରେମ ହିଁ ଜୀବନକୁ କରେ
ପ୍ରୀତିପଦ ମଧୁମୟ ।