ଝରି ଝରି ଆସ ବରଷା ରାଣୀ
ଝରି ଝରି ଆସ ବରଷା ରାଣୀ
ବରଷା ରାଣୀ ଗୋ ବରଷା ରାଣୀ
ତୁମେ ମୌସୁମୀର ସାନ ଭଉଣୀ,
ତା' ହାତ ଧରି ଆସ ଝରି ଝରି
ଧରିତ୍ରୀ ପୃଷ୍ଠରୁ ଉତ୍ତାପ ହାରିଣୀ,
ଝରି ଝରି ଆସ ବରଷା ରାଣୀ ।
ବଜ୍ରନାଦେ କମ୍ପେ ଆକାଶ ଭୂଇଁ
ବିଜୁଳି ଚମକେ ଛାତି ଥରାଇ,
ଘନ ଘନ ବର୍ଷା ଶ୍ରାବଣର ଧାରା
ଜଳମୟ ମହୀ ତୃପତ ପ୍ରାଣୀ,
ଝରି ଝରି ଆସ ବରଷା ରାଣୀ ।
ଜଳେ ପୂର୍ଣ୍ଣଗର୍ଭା ସରସୀ ନଈ
ସବୁଜିମା ଖେଳେ ପାହାଡ଼ ଭୂଇଁ,
ତରୁଲତା ନବ ଯୌବନ ଲଭନ୍ତି
କୃତ୍ୟ କୃତ୍ୟ ଭାବ ଜଣାନ୍ତି ପୁଣି,
ଝରି ଝରି ଆସ ବରଷା ରାଣୀ ।
ତୁମରି ଛୁଆଁରେ ବନ ଝରଣା
ଝରି ଝରି ବିତରଇ କରୁଣା,
ମାଆ ପରି କୋଳେ ଦେଉଛି ଆଶରା
ଜଳଚର ପ୍ରାଣୀ ମନକୁ ଜାଣି,
ଝରି ଝରି ଆସ ବରଷା ରାଣୀ ।
ବରଷା ଆକାଶ ଘନ ଅନ୍ଧାରେ
ଖଦ୍ୟୋତ ମଣ୍ଡଳୀ କି ଆନନ୍ଦରେ,
ପ୍ରକୃତି ନିର୍ଦ୍ଦେଶେ ଜ୍ୟୋତି ପ୍ରକାଶନ୍ତି
ରିମିଝିମ୍ ତାନେ ଝିଙ୍କାରୀ ନାଚନ୍ତି,
ତୂରୀ ବଜାଏ ତ ବେଙ୍ଗୁଲି ରାଣୀ,
ଝରି ଝରି ଆସ ବରଷା ରାଣୀ ।
କୃଷକ ମନରେ ହରଷ ଭରି
ମୁଣ୍ଡର ଝାଳକୁ ତୁଣ୍ଡରେ ମାରି,
ସୁନାର ଫସଲ ଅମଳ ଆଶାରେ
କ୍ଷେତରେ ବିହନ ଦେଉଛି ବୁଣି,
ଝରି ଝରି ଆସ ବରଷା ରାଣୀ ।
ତୁମ ଆଗମନେ ପ୍ରକୃତି ରସେ
ଫୁଲ ଫଳେ ବାଡି ବଗିଚା ହସେ,
ତୁମ ପାଇଁ ପରା ଶ୍ୟାମଳିମା ଧରା
ଶସ୍ୟ ଫଳାଇ ଦିଅ ଦାନାପାଣି
ଝରି ଝରି ଆସ ବରଷା ରାଣୀ ।
