ଗାରିମାମୟୀ ଉତ୍କଳ
ଗାରିମାମୟୀ ଉତ୍କଳ
ଗାରିମାମୟୀ ମୋ ଉତ୍କଳ ଭୂଇଁ,
ଜଗତରନାଥ ବସିଛି ଯହିଁ
ବିଶ୍ୱର ଦେବତା ଦୁଇବାହୁ ମେଲି,
କୋଳେଇ ନେବାକୁ ରହିଛି ଚାହିଁ ।
ଭାରତ କମଳ ପୁଷ୍ପରେ କେଶର,
ଉତ୍କଳ ଆମର ଚାରୁ ମନୋହର
କଳାର ଉତ୍କର୍ଷ ରାଇଜ ଆମର,
ପ୍ରତି ଅଙ୍ଗେ ଶୋଭା କଳାକାରିଗର ।
ବନ୍ଦନାକରି ଚରଣ ଯାହାର,
ପାଦ ଧୋଇଦିଏ ନୀଳାମ୍ବୁ ସାଗର
କଟିଦେଶେ ଯାର ପରବତ ମାଳା,
ଦେହେ ସୁଶୋଭିତ ତଟିନୀର ଧାରା ।
ଅଙ୍ଗେ ଅଙ୍ଗେ ତାର ସୁଷମା ଭରିଛି,
କଳାରେ କଳାରେ କାହାଣୀ ଶାଳା
କଳା ନିହାଣରେ ଗଢ଼ା ମନ୍ଦିର ଚୁଡାକୁ,
ଚୁମ୍ବନ ଦେଉଛି ବଉଦ ମାଳା ।
ମନ୍ଦିର ମସଜିଦ ଗୀର୍ଜା ଆଉ ଚର୍ଚ୍ଚ,
ସବୁଠି ଆଦର ସଭିଏଁ ପୂଜ୍ୟ
ନାହିଁ ଭେଦଭାବ ସମଭାବ ଏଠି,
ଉତ୍କଳ ଭାଇଚାରାର ରାଜ୍ୟ ।
ଆଷାଢ଼ ମାସରେ ରଥ ଗଡେ ଏଠି,
ଶ୍ରୀରାମ ନବମୀ ପାଳନ ହୁଏ
ଇଦ ମୁବାରକ ବଡଦିନ ପାଳୁ,
ରୋଜାରେ ବଧେଇ ହିନ୍ଦୁ ବି ଦିଏ ।
ଦଶହରା ଆସେ କାଶତଣ୍ଡୀ ଫୁଲେ,
ହିନ୍ଦୁ ମୁସଲିମ ପାଳନ୍ତି ମିଶି
ଗୋଟିଏ ମାଆର ସନ୍ତାନ ଆମେରେ,
ଗର୍ବରେ କହୁଛୁ ଉତ୍କଳବାସୀ ।
ଆମେରେ ଓଡ଼ିଆ ଜଗତେ ବଢିଆ,
ଭିନ୍ନ ଆମ ପରମ୍ପରା ଭିନ୍ନଆମ ସଂସ୍କୃତି
ବାର ମାସେ ତେର ଯାତ ପାଳିଥାଉ,
ସ୍ୱତନ୍ତ୍ର ଆମର ଲୋକକଳା ସୁକୀର୍ତ୍ତି ।
ଗୌରବ ଆମର କୋଣାର୍କ ମନ୍ଦିର,
ପାଷାଣ ନର୍ତ୍ତକୀ ତୋଳଇ ଛନ୍ଦ
ବିଶ୍ୱ ଦରବାରେ ସପ୍ତମ ଆଶ୍ଚର୍ଯ୍ୟ,
ପଥରରେ ଫୁଟି ଯାଇଛି ପଦ୍ମ ।
ଶାନ୍ତି ଆବାହନୀ ଗାଉଛି ଏ ମାଟି,
ଦୟା ଓ ଧଉଳି ତାହାରି ସାକ୍ଷୀ
ଚଣ୍ଡାଶୋକ ଏଠି ଧର୍ମାଶୋକ ହେଲେ,
ଅହିଂସା ମାର୍ଗକୁ ନେଲେଟି ବାଛି ।
ଖଣ୍ଡଗିରୀ ଗୁମ୍ଫା ପ୍ରଶସ୍ତି ଗାଉଛି
ଐରଖାରବେଳ ବୀରତ୍ୱ ଗାଥା
ଉଦୟ ଗିରୀର ହାତୀ ଗୁମ୍ଫା କାନ୍ଥ,
ଲେଖାଅଛି ଆମ ସବୁ କିରତୀ କଥା ।
ଏମାଟିର ପୁଅ ନେତାଜୀ ସୁବାଷ,
ଉତ୍କଳର ମଣୀ ଗୋପବନ୍ଧୁ
ମଧୁ ବାରିଷ୍ଟର ଭୂମିପୁତ୍ର ବିଜୁ,
ଉତ୍କଳ ସାଗରର ମୁକ୍ତା ବିନ୍ଦୁ ।
ସାହିତ୍ୟ ସଂସ୍କୃତି ବିଜ୍ଞାନ ପ୍ରଯ୍ୟୁକ୍ତି,
ଆଧ୍ୟାତ୍ମିକ କ୍ଷେତ୍ର ଭାରି ଆଗୁଆ
ଶୁଭ ସକାଳରେ ଓଁକାର ଧ୍ବନୀରେ,
ବନ୍ଦାପନା ହୁଏ ଏଠି ଦରିଆ ।
ଆମ ବଡ଼ଦାଣ୍ଡ ଆମ ବଡ଼ଦିଅଁ,
ବଡ଼ ପୁଣି ଏଠି ପୁରୀ ଦେଉଳ
ଚଣ୍ଡାଳ ଅଇଁଠା ବ୍ରାହ୍ମଣ ଖାଉଛି ,
ଜଗତରେ ପଡୁଅଛି ଚହଳ ।
ସୁନାର ଚଢେଇ ରୂପା ଡାଳେ ବସି,
ମଧୁର ସ୍ୱରରେ ଗାଉଛି ଗୀତ
ମୃଦୁ ମଳୟର କୋଇଲି କୁହୁରେ,
ଆମ୍ବ ବଉଳରେ ଆସେ ବସନ୍ତ ।
ସଞ୍ଜ ସକାଳରେ ମଙ୍ଗଳ ଆଳତୀ,
ଘଣ୍ଟ କାହାଳୀର ଶବଦ ଶୁଭେ
ତୁଳସୀ ଚଉରା ସଞ୍ଜବତୀ ଜାଳି
ମମତାମୟୀ ମା ଶୁଭ ମନାସେ ।
ଏଇ ଉତ୍କଳରେ ସାହିତ୍ୟ କ୍ଷେତ୍ରରେ,
ଉପେନ୍ଦ୍ର ଲେଖନ୍ତି ଲାବଣ୍ୟବତୀ
ଚିଲିକା ସୌନ୍ଦର୍ଯ୍ୟ ବିଭୋର କରଇ,
ରାଧାନାଥ ହେଲେ ପ୍ରକୃତି କବି ।
ସ୍ଵଭାଵର କବି ତପସ୍ୱିନୀ ଲେଖି,
ଅମର ହୋଇଲେ କାଳ କାଳକୁ
ସନ୍ଥକବି ଭୀମ ଅନ୍ଧ ଆଖିରେ,
ବନ୍ଦେ ଉତ୍କଳ ବାଣୀ ପାଦକୁ ।
ଫକୀର ମୋହନ ଗଳ୍ପରେ ରେବତୀ,
ସମାଜେ ସଂସ୍କାର ବାର୍ତ୍ତା ଦିଅଇ
ପ୍ରଣୟର କବି ମାନସିହଂ ଧୂପ,
କେତେ କାବ୍ୟ ଫୁଲ ଫୁଟି ଉଠଇ ।
ଛନ୍ଦ ଚଉତିଶା ଓଡିଶୀ ଚମ୍ପୁରେ,
ଭାରତୀ ଭଣ୍ଡାର ହୋଇଛି ପୂର୍ଣ୍ଣ*
ସାରଳା ଲେଖିଲେ ମହାଭାରତକୁ,
ଜୀବନେ ସାର୍ଥକ ସେ ରାମାୟଣ ।
ଭାଗବତ ବାଣୀ ଲକ୍ଷ୍ମୀଙ୍କ ପୁରାଣ,
ପଞ୍ଚସଖା ଲେଖେ ମାଳିକା କଥା
ଆଗତ ଭବିଷ୍ୟ ଗଣନା କରିଲେ,
ଘଟୁଅଛି ସବୁ ନୁହଁଇ ମିଥ୍ୟା ।
ଯେଉଁ ମାଟି ପୁଅ ପଠାଣି ସାମନ୍ତ,
ଗ୍ରହ ନକ୍ଷତ୍ରଙ୍କ ଗଣନା କରେ
ସେହି ଉତ୍କଳରେ ସାଧବ ପୁଅଟି,
ବଣିଜ କରଇ ନୀଳ ସାଗରେ ।
ଉତ୍କଳ ନରେଶ ଅପମାନ ପାଇଁ,
ଯେଉଁଠି ଦେବତା ଖଡ଼ଗ ଧରେ
ମଣିଷ ରୂପରେ ଦହି ଖାଇଦେଇ,
ମୁଦ୍ରିକା ଦିଅଇ ବନ୍ଧା ସୂତ୍ରରେ ।
ସାକ୍ଷୀ ଦେବାପାଇଁ ଭକତ ଡାକରେ,
ମନ୍ଦିରୁ ବାହାରି ଆସନ୍ତି ଦିଅଁ
ଉତ୍କଳ ଗାରିମା ଉତ୍କଳ ଗୌରବ,
ସରି କିଏ ଆଉ ହୋଇଛି କୁହ ।
ଲଳିତ ମଧୁର ଗୀତଗୋବିନ୍ଦର,
ସୁକୋମଳ ପଦାବଳୀ
ନଶୁଣିଲେ ନିଦ ଆସେନା ଆଖିକୁ,
ସେତ ନୀଳାଚଳ କ୍ଷେତ୍ର ମଣୀ ।
ପରିପୂର୍ଣ୍ଣ ଏଠି ସ୍ବର୍ଗୀୟ ସୁଷମା
ନୈସ୍ଵର୍ଗିକ ଶୋଭାରାଶି
ଭାଗ୍ୟବାନ ଆମେ ଜନମ ଲଭିଛେ,
ଏଇ ଗାରିମାମୟୀ ଉତ୍କଳଭୂଇଁ ।
