ଅଙ୍ଗେଲିଭା ସତ୍ୟ ଉପଦେଶ
ଅଙ୍ଗେଲିଭା ସତ୍ୟ ଉପଦେଶ
ହେ ମୋର 'କୂଳ ନନ୍ଦନ ପ୍ରାଣପ୍ରିୟ ପୁତ୍ର'
ଜୀବନର ଅନ୍ତିମ କ୍ଷଣେ ଏହି ମୋ' ପତ୍ର
'ଅଙ୍ଗେଲିଭା ସତ୍ୟ' ସହ ମୋର ଅନୁଭବ
ଉପଦେଶ ଛଳେ ଲେଖୁଛି, ମନେ ରଖିବ l
କେତେ ଥିଲା 'ଧନ ରତ୍ନ ଗାଡି ଓ ବଙ୍ଗଳା'
ପଲଙ୍କ ବିଳାସ ତେଜି ଯିବି ମୁଁ ଲଙ୍ଗଳା
ଧନ ପାଇଁ କାହା ମନେ ଦେବୁନାହିଁ କଷ୍ଟ
ଅସତ୍ୟରେ ଉପାର୍ଜ୍ଜିତ ସବୁ ଧନ ନଷ୍ଟ l
ସାଧୁ ବ୍ୟକ୍ତିଙ୍କୁ 'ବୁଦ୍ଧି'ରେ ଦେବୁନି ଉତ୍ତର
ଖୋଲା 'ହୃଦୟ' ପାଇଁ 'ମସ୍ତିଷ୍କ' ରଖ ଦୂର
ବର୍ଷରେ ପଚାଶ ମିତ୍ର କରିବା ସହଜ
ପଚାଶ ବର୍ଷର ମୈତ୍ରୀ ଅଟେ କି ସହଜ l
ଦିନେ ଭାବୁଥିଲି: 'ମୋର ବି ବେଳ ଆସିବ'
ଆଜି ଭାବୁଛି: 'ଗଲା ବେଳ କଣ ଫେରିବ
ଗୋଟିଏ 'ମୁହୂର୍ତ୍ତ'ରେ ସବୁ ଲାଗେ ତ ନ୍ୟୁନ
କିନ୍ତୁ ମୁହୂର୍ତ୍ତର ନିଷ୍ପତ୍ତି' କରେ ଜୀବନ ଧନ୍ୟ! l
'ଶିଖର' ଛୁଇଁ ବି କେବେ ଭୁଲନାହିଁ 'ମୂଳ'
'ଦାରିଦ୍ର୍ୟ' 'କଷାଘାତ' 'ମୂଳଦୁଆ' ସମ୍ବଳ
ମଧୁର ମଞ୍ଜୁଳ କର ସର୍ବଦା 'ବଚନ'
ମିଷ୍ଟେ 'ଲଙ୍କା' ବିକ୍ରି, କର୍କଶେ 'ମହୁ' ବି ହୀନ ।
ଯେବେ ଦୁନିଆଁ କହେ: 'ତମେ ନୁହଁ ତା' ଯୋଗ୍ୟ'
ତା'କୁ ହାସଲ କଲେ, 'ଖୁସି ହିଁ ଉପଭୋଗ୍ୟ'
ମଣିଷ ଗୋଦାମ ତୁଲ୍ୟ, ମୁହଁ ତାର ତାଲା
ତାଲା ଖୋଲିଲେ ଜାଣିବ 'ସୁନା' ନା 'କୋଇଲା' l
ସଫଳ ହେବା ପାଇଁ କର ଏମିତି କାମ
'ଫେସବୁକ' ନୁହେଁ, 'ଗୁଗୁଲ'ରେ ଖୋଜା ତମନାମ
ଡର ନାହିଁ: ସତକର୍ମେ ହେଲେ ବି ବିରୋଧ
ଫଳନ୍ତି ବୃକ୍ଷ ପାଇଁ ସେ ପଥରର କ୍ରୋଧ l
ଜିତିବା ହାରିବା ସବୁ 'ଭାବନା'ର କଥା
ନ-କାରେ 'ହାର', ସ-କାରେ 'ଜିତ' ଜୟଗାଥା
ଅସଂଖ୍ୟ 'ଉପଦେଶ' ମିଳେ ଏଠି ମାଗଣା
'ସହଯୋଗ'ର ହାତ ଟେ କିନ୍ତୁ ବାଟବଣା ।
ଦିନେ କହିଲି ଟଙ୍କାକୁ: ତୁ ଛାର କାଗଜ
ସେ କହେ: 'ହେଲେ ମୁଁ ନୁହେଁ ଖତଗଦା ଚିଜ'
କାଳ ବୈଶାଖୀ ବଢ଼ାଏ ଦାଣ୍ଡଧୂଳି ଗର୍ବ
ଅସରାଏ ବର୍ଷାରେ ତା' ସବୁ ଗର୍ବ ଖର୍ବ l
ଯେବେ ଖାଦ୍ୟ ଚାରିଭାଗ ହୁଏ, ପେଟ ପାଞ୍ଚ
ଉପାସ ପେଟ ହିଁ ମା'ର କରୁଣାର ଉତ୍ସ
ଯେବେ ଅନ୍ୟମାନେ କରିବେ ତତେ 'ନକଲ'
ଜାଣିବୁ ସେ 'ସାଫଲ୍ୟ'ର ଲକ୍ଷଣ 'ଅସଲ' l
ପାଣିକୁ ମାରିବୁନି ଢେଲା, ସେ ତ 'ପାନୀୟ'
ନହେବୁ ଉଦାସ ମୁଖ, ସେ ବି କାହା ଶ୍ରେୟ
ତୋ 'ମୁଖଶ୍ରୀ' ହୋଇପାରେ 'ଜୀବନ ପାଥେୟ'
'ମନ କର୍ଣ୍ଣେ' ଶୁଣିଲେ, ହେବ ତୋ' ଜୟ ଜୟ l
ମରଣ ଚାହେଁ କରିବ ମତେ ଆଲିଙ୍ଗନ
ମାୟାର ଶରୀର ହେବ ପଞ୍ଚଭୂତେ ଲୀନ
ସବୁ ଯିବ ଚାଲିଯିବ, ସ୍ମୃତି ଥିବ ରହି
କାଳ ମୁଗ୍ଧ ହେବ: 'ପୁରୁଷାର୍ଥ' ଗୁଣ ଗାଇ ।
