ନୀରବତା
ନୀରବତା
ଏକ ଶବ୍ଦହୀନ ଭାବର ଆବେଗ
ପ୍ରଚଣ୍ଡତା ଭିତରେ ଶୂନ୍ୟତାର ଆଭାସ
ରଙ୍ଗହୀନ, ବାସ୍ନାହୀନ ଭାବନାର ପରିପ୍ରକାଶ,
ଅନୁଭବରେ ଅନୁଭୁତ ଏକ ସମ୍ବେଦନଶୀଳତା
ଯାହା ନ କହି ବି କହିଯାଏ ଅନେକ କଥା,
ଦୃଢ଼ ସଂପର୍କ ସେତୁର ଅଦୃଶ୍ୟ ପ୍ରତିଷ୍ଠାତା
ସେ ନୀରବେ ଲୁଚିଥିବା ନୀରବତା ।
କ୍ଷୀପ୍ର ସମୟ କୋଳେ ଆହ୍ୱାନର ଅବକାଶ,
ବିସ୍ମୃତି ମରୂରେ ଆଶାର ବିନ୍ଦୁଏ ଜଳ ସଦୃଶ
ବିଷମ ପରିସ୍ଥିତିର ଯନ୍ତ୍ରଣା ଲାଘବ ଅମୋଘ ପଥି
ଏକାନ୍ତ ସମୟେ ସାଥେ ଚାଲୁଥିବା ପ୍ରିୟ ସାଥୀ
ଦହିତ ସମ୍ପର୍କ ବହ୍ନି ଉପରେ ବରଷାର ବୃଷ୍ଟିପାତ,
ବିବେକ ସାଗର ମନ୍ଥନରୁ ନିର୍ଗତ ଅମରତ୍ୱର ଅମୃତ
ଶୀତଳ ବାରିଠୁ ଉର୍ଦ୍ଧ୍ବରେ ଯାହାର ଶୀତଳତା
ଗହନ ମନ ପ୍ରଦେଶେ ସୃଷ୍ଟ ଗଭୀର ବାର୍ତ୍ତା !!
ଭୁଲରୁ ସୃଷ୍ଟ ଅନୁତପ୍ତ ମନର ସେ ନୀରବତା।
ମିଳନର ପ୍ରତୀକ୍ଷାରେ ପ୍ରତୀକ୍ଷିତା ଅଭିସାରିକାକୁ,
ନିଃସର୍ତ କ୍ଷମା ଯାଚନାରେ ଥିବା ସ୍ପଷ୍ଟତା
ଅବୋଧ ଶିଶୁ ସମ, ମା କୋଳେ ଲୋଟିପଡ଼ି
ପାଉଥିବା ବାକ୍ ଶୂନ୍ୟ ତୃପ୍ତିର ଆତ୍ମୀୟତା !!
ବ୍ୟଥିତ ଅନ୍ତରର ଅସହଜତାରେ
ଓଦା ହୋଇଯାଉଥିବା ନିରୀହ ଆଖିପତା
ବଖାଣିଯାଏ ଅନେକ ଯାତନାର ନୀରବତା ।
ଅଝଟ ଶିଶୁର ଅଳିକୁ ପୁରା କରି ନ ପାରି
ତା'ର ମନକୁ ଭୁଲାଇ ଦେଉଥିବା,
ଅସହାୟ ବାପାର ପରିକଳ୍ପିତ
କାହାଣୀରେ ଜଳଜଳ ଦିଶୁଥିବା ଅକ୍ଷମତା !!!
ଗୁରୁଙ୍କ ଅନୁଶାସନେ ଥିବା କଠୋରତା ଯାହା
ପ୍ରଜ୍ବଳିତ କରାଏ ପ୍ରତିକ୍ରିୟା ବିହୀନ ପ୍ରତିଦ୍ବନ୍ଦିତା
କୋଳାହଳମୟ ବାତାବରଣେ ମାଡ଼ିଆସୁଥିବା,
ଆଗମନୀ ଝଡ଼ର ରୌଦ୍ରତା ପୂର୍ବ ରହସ୍ୟମୟ ସ୍ତବ୍ଧତା !!
ଜଣାଇ ଦିଏ ସ୍ଥିରତା ମଧ୍ୟେ ନୀରବତା ।
ଜୀବନ ସଂଗ୍ରାମେ ସର୍ବସ୍ବାନ୍ତ ମଣିଷର,
ଓଠରୁ ଲିଭିଯାଇଥିବା ହସର ସେଇ ସତ୍ତା
ନିଜ ସମୟ ସାରଣୀରୁ ଅନ୍ୟପାଇଁ ସବୁ ସମୟକୁ,
ସାରିଦେଇ ଶେଷଯାତ୍ରା ପଥେ ଅଭିମାନ କରି
ଚାଲିଯାଉଥିବା ନିଃସ୍ୱାର୍ଥପର ମଣିଷର ନିଷ୍କପଟତା
ନ ଜଣେଇବି ଜଣେଇଦିଏ ତା କାହାଣୀର ନୀରବତା ।।
