କୁଞ୍ଜବନେ ଝୁଲନ୍ତି ଦେଖ
କୁଞ୍ଜବନେ ଝୁଲନ୍ତି ଦେଖ
କୁଞ୍ଜବନେ ଝୁଲନ୍ତି ଦେଖ
ନବ କିଶୋର କିଶୋରୀ ।
ଗୋପଗୋଈ ଚିତ୍ତ ଚୋର
ରାଧା ମନ କଲେ ଚୋରି ।
ଘନକାଳ ଯାଏ ସରି
ଘନଶ୍ୟାମ ବଂଶୀଧାରୀ ।
ମନେ ମନେ କି ବିଚାରି
କେଳିକୁଞ୍ଜେ ବିଜେ କରି।
ହରିଲେ ସଭିଙ୍କ ମନ
ଇଏ ପରା ବୃନ୍ଦାବନ ।
ଝୁଲନ୍ତି ରାଧିକା ସଙ୍ଗେ
ଦେଖ ଦେଖ କେତେ ରଙ୍ଗେ।
ସବୁ ମଠ ମନ୍ଦିରରେ
ଲୀଳାଧର ଲୀଳା କରେ।
ଶ୍ରାବଣ ଶୁକ୍ଳ ଦଶମୀ
ଆସିଛି ଝୁଲଣ ଆଣି ।
ସାତଟି ଦିନ କୁଞ୍ଜରେ
ବିହରିବେ ଆନନ୍ଦରେ।
ଦେଖିବେ ଭକତ ଜନ
ଝୁଲାଇବେ ଜଣେ ଜଣ।
ତୃପତ ହେବ ନୟନ
କୁଞ୍ଜେ ରାଧିକାରମଣ ।
ଶ୍ୟାମଳ ବରନ କୁଞ୍ଜ
ରାଧାକୁଞ୍ଜ ଗୋପୀକୁଞ୍ଜ ।
ଲାଗିଛି ଜରି ଜମ୍ବୁରା
ଦିଶୁଅଛି କେଡେ ତୋରା।
ଆସ ସଖୀ ଝୁଲାଇବା
ପ୍ରେମ ଜଳରେ ମଜ୍ଜିବା ।
ଗୋପୀଭାବେ ଗୋପୀନାଥ
ରାଈଙ୍କ ମନ ତୋଷିବା ।
ଆସୁଛି ଶରତ କାଳ
ଦୂରେ ଯିବେ ମେଘମାଳ ।
ଆକାଶ ଦିଶେ ନିର୍ମଳ
କୁଞ୍ଜ କେଡେ ପରିମଳ।
ଚନ୍ଦ୍ର ଚାନ୍ଦିନୀ ଝୁଲନ୍ତି
କିବା ମନେ କବି ଚିନ୍ତି ।
ସରି କେବେ ନ ହେବେ ସେ
ଭାବେ ନିରଞ୍ଜନ ଭାଷେ ।
ଆସ ଦେଖିବା ଝୁଲଣ
ହେବ ନିଶ୍ଚେ ପରିତ୍ରାଣ ।
କିଶୋର କିଶୋରୀ ସେ ତ
ମୋ ଜୀବନର ଜୀବନ ।