ପାଗଳ
ପାଗଳ
ପାଗଳ ପାଗଳ ସମସ୍ତେ ପାଗଳ
କିଏ ଅଛି ଭଲ କୁହ
ଯାହାକୁ ଦେଖିବ ତାହାରି ପଛରେ
ଥିବ ପାଗଳର ମୋହ ।
ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଛି
ଏଇ ପାଗଳର ନାମ
ପାଗଳ ନ ହେଲେ ଜୀବନରେ କେହି
କରନ୍ତି ନି ଭଲ କାମ ।
ଛୋଟ ବେଳେ ଅଳି ଅଝଟ କରିଲେ
ପାଗଳଟା ବୋଲି ଲୋକେ କହୁଥିଲେ
ମାଆ ବି କହେ ପାଗଳ ।
କୁହ କେମିତି କେ ହେଲା ଭଲ ।
ସବୁବେଳେ ଯିଏ ଖେଳରେ ମାତିଲା
ତାକୁ କହିଲେ ପାଗଳ
ପାଗଳର ଆଖ୍ୟା ତାହାକୁ ବି ଦେଲେ
ଯିଏ ବି ପାଇଲା ଭଲ ।
ଦିନ ରାତି ଯିଏ ପାଠ ପଢୁ ଥାଏ
ତାକୁ ପାଗଳ କହିଲେ
ପାଠ ନ ପଢିକି ମୁରୁଖ ହେଲେ ବି
ପାଗଳର ଆଖ୍ୟା ଦେଲେ ।
ଭଲ କାମ କଲେ ପାଗଳ ଉପାଧି
ନ କଲେ କହନ୍ତି ପାଗଳର ବ୍ୟାଧି
ହେବନି ଏ କେବେ ଭଲ ।
ପାଗଳ କି ବୁଝେ ମୂଲ ।
ଦେଶ ସେବା ଯିଏ କରୁଥାଏ ନିତି
କହନ୍ତି ପାଗଳ ତାକୁ
ପାଗଳଟା ହେଇ ଘୂରି ବୁଲୁ ଅଛି
ଦେଖୁନି ନିଜ ପେଟକୁ ।
ପରୋପକାର କରୁଥାଏ ଯିଏ
ସିଏ ବି ପାଗଳେ ଗଣା
କହନ୍ତି କିଛି ତ କାମ ଧନ୍ଦା ନାହିଁ
ଲୋକ ପ୍ରେମରେ ସେ ବଣା ।
ପାଗଳ କହନ୍ତି ଦୁଃଖେ ଗଲେ ଦିନ
ସୁଖ ପାଇଁ ଅର୍ଥେ ଧାଏଁ ଯେବେ ମନ
କହନ୍ତି ଧନ ପାଗଳ ।
ତାହାହେଲେ କିଏବା ଭଲ ।
ଦିନ ରାତି ଯିଏ ଲେଖାରେ ମାତିଲା
ତାକୁ ପାଗଳ କହିଲେ
ଲେଖାରେ ପାଗଳ ନ ହେଲେ କୁହି କି
କବି ସେ ହୋଇବ ଭଲେ ।
ପ୍ରେମରେ ପାଗଳ ହେଇ ଥାଏ ଯିଏ
ହୁଏ ସେ ଭଲ ପ୍ରେମିକ
ପ୍ରେମିକାକୁ ସିଏ ଖୁସିରେ ରଖଇ
ତା ସାଥେ ଜୀବନ ଯାକ ।
ଯେଉଁ କାମ ଯିଏ ଯେତେ କରୁଥାଏ
ସେ କାମରେ ଯଦି ମଜ୍ଜି ରହିଯାଏ
କହନ୍ତି ପୂରା ପାଗଳ ।
ତାହାହେଲେ କିଏ ବା ଭଲ ?
ରାଜନୀତି ଖେଳ ନେତାଙ୍କୁ ପାଗଳ
କବିଙ୍କୁ ପାଗଳ ଲେଖା
ପ୍ରେମରେ ପାଗଳ ପ୍ରେମିକ ପ୍ରେମିକା
ବଦଳାନ୍ତି ଭାଗ୍ୟ ରେଖା ।
ମନର ପାଗଳ କିଏ ହେଇଥାଏ
ଧନର ପାଗଳ କିଏ
ପାଗଳାମୀ କରି କିଏ କା'ର ପୁଣି
ଜୀବନକୁ ନେଇ ଥାଏ ।
ପ୍ରତିଶୋଧ ପରାୟଣ କିଏ ହୁଏ
ସିଏ ବି ପାଗଳେ ଗଣା ହେଥାଏ
ଗପେ ଯେ ବଧ ପାଗଳ।
କିଏବା ରହିଲା ଭଲ ।
ପ୍ରଭୁଙ୍କ ପ୍ରେମରେ ଭକତ ପାଗଳ
ପ୍ରଭୁ ଗୁଣ ଗାଇ ଥାଏ
ଗାୟକ ଗାୟିକା ସଂଗୀତେ ପାଗଳ
ଗୀତରେ ମଜ୍ଜିଣ ଯାଏ ।
ଶ୍ରେଷ୍ଠ କଳାକାର ହେବାକୁ ପଡିଲେ
ପାଗଳରେ ଗଣା ଯାଏ
ଭଲ ଅଭିନୟ କରି ଦର୍ଶକଙ୍କ
ହୃଦୟକୁ ଜିତି ଥାଏ ।
ଯିଏ ଯେଉଁ କାମ ଯେତେ ଭଲ କରେ
ଛାପି ରହେ ସିଏ ମନ ହୃଦୟରେ
ବଢାଏ ତା ମନ ବଳ ।
କହନ୍ତି ତାକୁ ପାଗଳ ।
କାହ୍ନୁ ପାଇଁ ରାଧା ଗୋପୀ ଯଶୋମତୀ
ପାଗେଳି ହେଇ ଯାଆନ୍ତି
ଦଣ୍ଡେ ନ ଦେଖିଲେ ଗୋପପୁର ସାରା
ଧାଇଁ ଖୋଜି ବୁଲୁ ଥାନ୍ତି ।
ସନ୍ତାନ ପ୍ରେମରେ ଜନନୀ ପାଗଳ
ଭକତ ପ୍ରେମର ପ୍ରଭୁ
ଯାହାକୁ ଦେଖ ତ ତାହାରି ପଛରେ
ପାଗଳ ଉପାଧି ସବୁ ।
ଆଗରେ ହେଉ ବା ପଛରେ କହନ୍ତି
ପାଗଳର ଆଖ୍ୟା ଲୋକେ ଦେଇଥାନ୍ତି
ଯେବେ ଆସେ ମୃତ୍ୟୁ ବେଳ ।
କହନ୍ତି ଗଲା ପାଗଳ ।
