ତୁ ଗଲା ପରେ
ତୁ ଗଲା ପରେ
ତୁ ଗଲା ପରେ...
ଅବୁଝା ମନଟା ମୋର ହୋଇଯାଇଛି
ମରୁଭୂମିରେ ସୂର୍ଯ୍ୟଙ୍କର
ପ୍ରଚଣ୍ଡ ଉତ୍ତାପରେ ଡହ ଡହ ହୋଇ ଫୁଟି
ବିକଳରେ କ୍ରନ୍ଦନ କରୁଥିବା
ସେହି ବାଲୁକା ରାଶି ପରି ।
ତୁ ଗଲା ପରେ...
ବହୁତ ଥର ମତେ ବି ଜୀଵନ ହାରିବାକୁ
ଇଚ୍ଛା ହେଇଛି ,ଠିକ ତୋ ପରି
ତୁ ସିନା ସ୍ୱାର୍ଥପର ହୋଇଯାଇ
ଆପଣେଇ ଥିଲୁ ନିଜ ରାସ୍ତା l
କିନ୍ତୁ ମୋ ସାମ୍ନାରେ ଥିଲା
ବିରାଟ ବଡ଼ କର୍ତ୍ତବ୍ୟ ବୋଧ
ଚାହିଁ ବି ତୋ ରାସ୍ତା
ଆପଣେଇ ପାରି ନଥିଲି।
ତୁ ଗଲା ପରେ ...
ତୋର ମୁଖ ନିସୃତ
ସେହି ଶେଷ କଥା ପଦକ
ମୋର ସ୍ମୃତି ପଟଳକୁ ଚିରି
ମସ୍ତିଷ୍କରେ ପ୍ରତିଧ୍ବନିତ ହୋଇ
ମତେ ଅଟକେଇ ରଖିଥିଲା
କିଛି ବି ଭୂଲ କରିବା ପାଇଁ।
ଭାବୁଥିଲି ତୋ ମୁଣ୍ଡରେ ଏତେ ବୁଦ୍ଧି
କେବେଠୁ ଖୁନ୍ଦି ହୋଇରହିଥିଲା l
ତୁ ଗଲା ପରେ...
ବାରମ୍ବାର ଭାବୁଥିଲି ମୁଁ ,
ଆଜିଯାଏଁ ଓଲି ଆଉ ବlୟାଣୀ
ଭାବୁଥିବl ମୋ ପ୍ରିୟା,
କୋଉଠୁ ଆଉ କାହା ଠାରୁ
ଶିଖିଥିଲା ଏତେ କଥା ।
ଜାଣିନି କାହିଁକି ଆଜି
ତୋରି କଥା ଖୁବ୍ମ ମନ ପଡୁଥିଲା ।
ସାଙ୍ଗ ମାନେ ସବୁ
ମସ୍ତି କରୁଥିବା ସମୟରେ
କାହିଁକି ଆଜି ମୁଁ ନିଜକୁ
ସେହି ଗହଳି ଭିତରେ
ଏକା ଏକା ଅନୁଭବ କରି
ତୋ ସ୍ମୃତିରେ,ହଜି ଯାଉଥିଲି
କିଛି ବୁଝି ପାରୁନଥିଲି l
ତୁ ସିନା ସାଥ ଦେଇନଥିଲୁ କିନ୍ତୁ
ବେଳାଭୂମିର ସେହି ବିସ୍ତୀର୍ଣ୍ଣ ପ୍ରାନ୍ତର..
ଆମ ପ୍ରେମର ମୁକ ସାକ୍ଷୀ
ହୋଇ ଅନେଇ ରହିଥିଲା ।
ଯଦିଓ ଆଉ ତତେ
ଏ ଜନ୍ମରେ ଫେରି
ପାଇବାର ଆଶା ନଥିଲା
ତଥାପି ବି
ମୁଁ ଆଉ ସେ ବିଶାଳ ସାଗର....
ତୁ ଆସିବୁ ବୋଲି ଅପେକ୍ଷା ରେ ଥିଲୁ।
ସେ ତାର ଲହରୀ କୁ
କୂଳରେ ବାଡେଇ ବାଡେଇ,
ନିଜ କୋହକୁ ପ୍ରକାଶ କରୁଥିଲା
ଆଉ ମୁଁ ଆଖି ଭିତରେ
ବନ୍ଦୀ ହୋଇ ରହିଥିବା
ଲୁହକୁ .. ନୟନ ଯୁଗଳରୁ
ବାହାର କରି ଗଣ୍ଡ ଦେଶରେ ବାଡେଇ
ନିଜ କୋହକୁ ପ୍ରକାଶ କରୁଥିଲି।