ଅଳସ ଅପରାହ୍ନ
ଅଳସ ଅପରାହ୍ନ
ଦିନେ ଏମିତି ଏକ ଅଳସେଇ ଅପରାହ୍ନରେ
ଖିଆଲି ମନରେ ବେଳାଭୂମିରେ ବସି
ଶାମୁକା ସାଉଁଟୁ ସାଉଁଟୁ,
ବିରହ ବେଦନାରେ ଜର୍ଜରିତ
ମନକୁ ଟିକେ ବୁଝେଇବା ପାଇଁ,
ତୋ ନା ସହ ମୋ ନା ଯୋଡି ଲେଖିଲା ବେଳେ
କେଜାଣି କାହିଁକି ମନ ପଡୁଥିଲୁ ଭାରି ।
କିନ୍ତୁ କୋଉଠି ଥିଲା ସେ ଦୁଷ୍ଟ ଢେଉ,
ମୋ ଅନ୍ୟମନସ୍କ ତାର ସୁଯୋଗ ନେଇ,
ହାବୁକା ଏ ପବନର ତାଳେ ଡେଇଁ ଆସି
ଲିଭେଇ ଦେଇ ଚାଲିଯାଇଥିଲା,
ସେହି ବାଲୁକା ରାଶିରେ
ଅଙ୍କିତ ତୋ ସହ ମୋ ନାଁକୁ ।
ଲିଭେଇ ଦେଇ ଗଲାନି ତ ସିଏ ମତେ ଲାଗୁଥିଲା,
ସତେ ଯେମିତି ହୃଦୟରେ ମୋର,
ଛୁରୀଟା କିଏ ଚଳେଇ ଦେଇଗଲା।
ଭଙ୍ଗା ମନ ନେଇ ଘରକୁ ଲେଉଟିଲି ,
ଭାବିଥିଲି ଆଜି ରାତିଟା କେବଳ ତୋରି ସ୍ମୃତିରେ ..
ଘରେ ପାଦ ଦେଉ ଦେଉ
ସ୍ତ୍ରୀର ଘଡଘଡ଼ିଆ ଆବାଜ
କୋଉଠି ଥିଲ,
ପରିବା ଆଣିଛ କି ନାହିଁ ,ମାଛ ଆଣିଛ କି ନାହିଁ ,
ଏ କଣ ଖାଲି ହାତ ଖାଲି ବ୍ୟାଗ ?
ଯେତେବେଳେ ଦେଖ
ଭାବନା ରାଜ୍ୟରେ ବୁଡିକି ଥିବେ।
ଭାରି ଗୋଟେ କବି ହୋଇ ଯାଇଛନ୍ତି ନା ,
କବି ନା ଫୁଲ କୋବି .. ମ
ପ୍ରିୟାର ସ୍ମୃତିରେ
ମନ ପୋଡି ଗଲା ବେଳକୁ ..
ସ୍ତ୍ରୀର କଥା ଗୁଡିକ ,
ଶାଣ ଦିଆ କଟୁରି ପରି ଲାଗୁଥିଲା।
ଆଉ ମୁଁ ଭଙ୍ଗା ମନ ନେଇ ଯେମିତି ଆସିଥିଲି
ସେମିତି ଅବସ୍ଥାରେ ଏକ ମୁହାଁ ଦୌଡ଼ିଥିଲି ,
ସ୍ତ୍ରୀର ଫୋରମାଇସ ପୂରଣ କରିବାକୁ।
ଆଉ ମନକୁ ସେହି ,
ବେଳାଭୂମିରେ ଅଟକେଇ ,କହିଥିଲି ..
ରେ ମନ, ତୁ ସେଠି ବସି ଥା ପରେ ଦେଖା ହବ।
ବାଏ...