ଲାଗିଲା ଭାରି ଭଲ
ଲାଗିଲା ଭାରି ଭଲ
ଖରା ଦିନରେ ଥଣ୍ଡା ଜିନିଷ
ଖାଇବା ଭାରି ମଜା
ଆଇସିକ୍ରିମି ଖାଇବ କିଏ
କହିଲେ ମୋର ଅଜା ।
ଦାଣ୍ଡକୁ ଯାଇ ବୁଲି ଦେଖିଲୁ
ନାହିଁ ତ ବିକାଳୀ କେହି
ଅଜାଠୁ ଠକ ଏଇ ଗାଆଁ ରେ
କିଏ ହୋଇବେ ନାହିଁ ।
ଅଜା କହିଲେ ବ୍ୟସ୍ତ ହୁଅନା
କରିବା ଘରେ ଆଜି
ନଡ଼ିଆ କ୍ଷୀର ଚିନି ଆଣିଛି
କାଜୁକୁ ଟିକେ ଭାଜି ।
ଏକାଠି କରି ସବୁ ଜିନିଷ
ଫ୍ରିଇଜି ଖୋଲି ଦେଇ
ଛାଞ୍ଚ ଭିତରେ ଢାଳିଲେ ତାକୁ
କାଠି ରଖିଲେ ନେଇ ।
ଖୁସି ମନରେ ଚାହିଁ ବସିଲୁ
ଖାଇବୁ ଆମେ ବୋଲି
ଦୁଇ ଘଣ୍ଟାରେ ଖୋଲି ଦେଖିଲୁ
ହୋଇକି ଠେଲାଠେଲି ।
ଅଜା କହିଲେ ହୋଇନି ଜମା
ଆଇସିକ୍ରିମ କାହିଁ
ଶୁଖିଲା ମୁହଁ କରି ଖୋଜିଲୁ
କାରଣ କଣ ପାଇଁ ।
ଦେଖିଲା ଭାଇ ଫ୍ରିଇଜି ତାର
ଲାଗିଛି ବୋର୍ଡରେ
ସୁଇଚି କିନ୍ତୁ ବନ୍ଦ ଅଛି
କହିଲା ସିଏ ଦୁଃଖରେ ।
ମୁଣ୍ଡରେ ହାତ ଦେଲେ ମୋ ଅଜା
କେଡେ କଥା ମୁଁ କଲି
ସୁଇଚି ମାରି ଦେବା ପାଇଁକି
କେମିତି ଭୁଲି ଗଲି ।
ସୁଇଚି ମାରି ପୁଣି ଚାହିଁଲୁ
ଆହୁରି ଦୁଇ ଘଣ୍ଟା
ଆଇସିକ୍ରିମ ବାହାର କରି
ହୋଇଲା ଭାଗବଣ୍ଟା ।
ଖୁସି ମନରେ ଖାଇଲୁ ମିଶି
ଲାଗିଲା ଭାରି ଭଲ
ଅନେକ ଥର କରିବା ଅଜା
ଥିଲେ ଟି ଖରାକାଳ ।
