କପୋତୀର ସ୍ଵପ୍ନ
କପୋତୀର ସ୍ଵପ୍ନ
ମନ ଖୋଜେ ଚିରୁଡାଏ ନିର୍ମଳ ଆକାଶ
ଧାପଟିଏ କଅଁଳିଆ ସୂରୁଯର ହସ
ଶିତୁଳିଆ ପରଶକୁ ନେସି ନେସି ଯାଉଥିବା
ଦଲକା ଦଲକା ମେଞ୍ଚେ ହାଲୁକା ପବନ
ମିଠା ମିଠା ଫୁଲ ଫଳେ ଭରା ଏକ ଛୋଟ ଉପବନ।
ଥରିଥିରି ଚାଲୁଥିବ ଲାଜକୁଳୀ ଅଙ୍କାବଙ୍କା ନଈ,
ସମୀର ବୀଣାର ତାଳେ ମିଳନର ଆଗମନୀ
ରୁଣୁ ଝୁଣୁ ଗୀତେ ଗାଇ ଗାଇ
ନାଚି ନାଚି ଦୋଳି ଖେଳୁଥିବ ଯହିଁ
ଝଙ୍କାଳିଆ ବରଗଛ ଛାଇ।
ଲମ୍ବା ଲମ୍ବା ଘନ ଓହଳ ପଞ୍ଝାରେ
ନଈ କଡ ଅତଡାକୁ ଶକତ ଆବୋରି ,
ଦାରୋଗା ପଣିଆ ନେଇ
ସଗର୍ବରେ ଛିଡା ଯେଉଁ ବୁଢ଼ା ବରଗଛ;
କୋରଡରେ ତାର,
ହୋଇଥାନ୍ତା ଗଢ଼ା ପୁଣି ଛୋଟ ଏକ ନୀଡ଼।
ଦୂରେ ଦୂରେ ରହିଥାନ୍ତା
ଯେତେ ସବୁ କୋଳାହଳ ଭିଡ଼।
ମନ ତଳ ମାନ ବୁଝି, ମନ କିଣି ନେଉଥିବା
ମନଲାଖି ସାଥିଟିଏ ଲୋଡ଼ା।
ନିଷ୍କପଟ ନିରିମଳ ହୃଦୟଟି ନେଇ
ସେନେହଁ ଓ ଭରସାରେ ପିଠି ଥାପୁଡେଇ
ସମୟର ଛୋଟ ବଡ଼
ଉଠାଣି ଗଡାଣି ସବୁ ଡେଇଁ
ପାଶେ ପାଶେ ହୋଇଥିବ ଛିଡ଼ା।
କ୍ଷୁଧା ତୃଷା ନିବାରଣ ପାଇଁ
ମହଜୁଦ ରହିଥିବ ମିଠା ବରଫଳ
ଆଉ କାଚକେନ୍ଦୁ ନଈ କୂଳ ପାଣି ।
ହସି ଖେଳି ଜୀଇଁବାର ଲାଗି
ଏତିକିତ ସରଗର ସୁଖଠୁବି ବଳି।
କିନ୍ତୁ ଏ କଣ? ଏକି ହେଲା?
ସତେ ଅବା ମିଠା ମିଠା
ପାହାନ୍ତିଆ ସପନରେ ମୋର
କାହାରକି ନଜର ଲାଗିଲା !
କଳା କଳା ମେଘ ଖଣ୍ଡ ଗୋଡା ଗୋଡି
ଧୂମାଳ ଆକାଶ,
ପ୍ରଚଣ୍ଡ ଝଡ଼ର କିବା ଅଗତ୍ୟା ଆଭାସ।
ଅନ୍ଧାରରେ ପଥରୂଢ଼ ଦିଶେନାହିଁ ଦିଶା,
ଧୂଳିକଣା ରୁନ୍ଧି ଦିଏ ଚକ୍ଷୁ ଆଉ ନାସା।
ପ୍ରଚଣ୍ଡ ଝଡ଼ର କ୍ଷୀପ୍ର ପ୍ରବାହରେ ଏବେ
ହୋଇ ଯାଏ ବାଟବଣା ବେସାହାରା।
ଶାନ୍ତ କପୋତୀଟି କାହୁଁ
ବଞ୍ଚିବାର ପାଏ ନାହିଁ ରାହା।
କପୋତୀ ମୁଁ ଶାନ୍ତିର ପ୍ରତୀକ।
ଅଶାନ୍ତିର ଝଡ଼ ମୋତେ
କରିଥାଏ ଶତତ ବ୍ୟଥିତ।
ଝଡ଼ ଉପର ଆକାଶେ ଉଡିବାକୁ
ଅନ୍ତର ମୋ କରୁଛି ବିଳାପ।
ହେଲେ!
ପକ୍ଷ ଦୁଇ ଏବେ ମୋର ନିହାତି ନିର୍ବଳ,
ଝଡ଼ ସହ ଯୁଝିବାକୁ ପାଏ ନାହିଁ ବଳ।
ଆହେ ଚକ୍ରଧର!
କୃପାକରି ପକ୍ଷରେ ମୋ ଦିଅ ଭରି
ଶତ ସିଂହ ବଳ,
ଅନ୍ୟଥା;
ପକ୍ଷୀ ଜନମରୁ ପ୍ରଭୁ କରିଦିଅ ପାର।