ଝରକା ଓ ମୁଁ
ଝରକା ଓ ମୁଁ
ଖଟ ଧାରକୁ ଲାଗି ତା ସହ ନିତି କଥାହୁଏ
ସେ ଯେମିତି ମୋ ସୁଖ ଦୁଃଖର ସାଥି ପରି
ଘରଟାରେ ମୋତେ ଚାହିଁଥାଏ,
ମୋତେ ଚାହିଁ ହସି ଦିଏ
କେବେ ରାଗି ରୁଷି ଆଖି ବୁଝିଦିଏ
କେବେ ଖୁସି ହୋଇ ଅଜାଡ଼ି ଦିଏ
ମଳୟର ଚାଙ୍ଗୁଡ଼ିରେ ବଉଳର ବାସ୍ନା ମେଞ୍ଚା ମେଞ୍ଚା ।
ଆବଦ୍ଧ ଘର ଭିତରୁ ଚିହ୍ନାଇ ଦିଏ ସେ ମୋତେ
ଆରପାଖେ ଥିବା ଚଳଚଞ୍ଚଳ ପୃଥିବୀକୁ
ସେପାଖର କୋଳାହଳ ସବୁ ଅଚିହ୍ନା ହେଲେ ବି
ମୁଁ ଯୋଡ଼ି ହୋଇଯାଏ ମୋ ଭିତରର ଝଡ଼ ସହ
ବାହାରର ଅଲୋଡ଼ା ଘୁର୍ଣ୍ଣିବାତ୍ୟାକୁ ।
ନିର୍ଜୀବ ହେଲେ ବି ସେ ମୋତେ ପ୍ରାଣ ଦିଏ
ମୋ ଅଣନିଶ୍ବାସୀ ହୃଦୟକୁ ଢ଼େରସାରା ଅମ୍ଳଜାନ ଦେଇ
ସମ୍ବାଦ ବାହକ ସାଜେ ବାହାରର ଘଟଣା ସବୁର
ମୋ ବୋର୍ ହୋଇ ଯାଉଥିବା ମନ ପାଇଁ
ଆଣିଦିଏ ବେଶ ମନୋରଞ୍ଜନ କିମ୍ବା
ଅବସର ମୁହୂର୍ତ୍ତକୁ କାଟିଦେବା ପାଇଁ
ହାଲୁକା ଫୁଲୁକା ଖୋରାକ ସବୁ ।
ମୁଁ ଆମୋଦିତ ହୁଏ ସେପାଖର ତାମସାକୁ ଦେଖି
କେବେ କେବେ ଆଖି ବି ଜକେଇ ଆସେ
କିଛି ଭାବପ୍ରବଣ ପରିସ୍ଥିତି ଦେଖି
ଅନେକ ଥର ଏପରି ବି ହୁଏ
ମୋ ଭିତରେ କମ୍ପି ଉଠୁଥିବା ତରଙ୍ଗ ସମୂହ
ସେପାଖରେ ସୁନାମିର ରୂପ ନେଇ ନିଏ
କେଜାଣି ଏ ଝରକାଟା ମୋ ସାଥିରେ ଛିଗୁଲେଇ ହୁଏ
କି ମୋ ଭିତର ପର୍ଯ୍ୟନ୍ତ ଅଣ୍ଡାଳି ପକାଏ ।
ତା ଦେହରେ ଲାଗିଥିବା ପରଦା ଖଣ୍ଡକ ବି
କିଛି କମ ବେଇମାନ ନୁହେଁ
କେବେ ମୋ ସାଥିରେ ପିଟି ହୋଇ
କାନରେ ମୋ କିଛି କହିଯାଏ
ମୁଁ ଦେଖିବାକୁ ଚାହୁଁଥିବା ଇପ୍ସିତ ଦୃଶ୍ୟକୁ
କେବେକେବେ ତା ଦୁଷ୍ଟାମୀରେ ଘୋଡ଼ାଇ ବି ଦିଏ,
ମୋ ବିରକ୍ତିର କୋୖଣସି ଫରକ ପଡ଼େନା
ଝରକା ପ୍ରତି ମୋ ଅହେତୁକ ଦୁର୍ବଳତାର
ସେ ମନଭରି ଲାଭ ନେଇ ନିଏ ।
ଅନେକ ଥର ସେପାଖର ଆଲୁଅରୁ ଧାର କିଛି ଆଣି
ଅନ୍ଧାର ଘରକୁ ମୋର କରିଛି ଆଲୋକିତ
କେବେ କେବେ ଜହ୍ନ ଆସି ନେସି ହୋଇଯାଏ
ସତରେ ଯେମିତି ମୋର ଅତି ପ୍ରିୟ ମିତ
ତାରା ସବୁ ନଇଁ ଆସନ୍ତି ମୋ ଘରେ ଉଡ଼ି ବୁଲୁଥିବା
ଜୁଳୁଜୁଳିଆ ପୋକ ଯୋଡ଼ିକୁ ସାଙ୍ଗରେ ଘେନିଯିବା ପାଇଁ
ଶେଫାଳିର ଡାଳ ଖଣ୍ଡେ କିଛି କହିବ କହିବ ହୁଏ
ଗତ ରାତିର କିଛି ସ୍ୱପ୍ନକୁ ମୋ ଆଗେ କହିଦେବା ପାଇଁ ।
ସତରେ ଏଇ ଝରକା ସାଜେ ମୋ ଭିତରର
ଆଖି ନାକ କାନ ପାଟି
ଓ ମୋ ବଧିରା ଚମଡ଼ାର ସମ୍ବେଦନଶୀଳ ଅଂଶ
ମୋ ଅଜାଣତରେ ମୁଁ ବି ଝରକାଟେ ହୋଇଯାଏ
ତା ସହ ମୋ ବନ୍ଧୁତ୍ୱର ଅନ୍ତରଙ୍ଗତା ପାଇଁ
ନା ଥାଏ କିଛି ଆଶା ନା ଥାଏ କିଛି ଆକାଂକ୍ଷା
ବାସ୍ ସମାନ ଆବୃତ୍ତିରେ କମ୍ପିତ
ଓ ସମାନ ସାନ୍ଧ୍ରତାରେ ଦ୍ରବିଭୂତ
ଦୁଇଟି ହୃଦୟ ଏକାକାର ହୋଇଯିବାର ବିବର୍ତ୍ତନଟିଏ
ଘଟିଯାଏ ଉଭୟଙ୍କର ଅଲକ୍ଷରେ ।
