ଆହେ ମନ ପ୍ରିୟେ
ଆହେ ମନ ପ୍ରିୟେ
ଆହେ ମନ ପ୍ରିୟେ ମନ ମୋହିନୀ ଗୋ
ଲୟ ତୁମ ପଦ ଛନ୍ଦେ
ଗନ୍ଧର ପସରା ଗନ୍ଧ ବାହ ଦେଇ
ଯାଅ କାହୁଁ ସ୍ମିତ ମନ୍ଦେ ।
ଅଳଙ୍କୃତ ଭୂତ ରୌପ୍ୟ ତୁମ ଦେହେ
କଟି ସ୍ଵର୍ଣ୍ଣ ସୁତା ଛନ୍ଦି
କଜ୍ଜଳ ପୂରିତ ନୟନ ଯୁଗଳ '
ହସ୍ତେ କଙ୍କଣ ଯେ ବାନ୍ଧି ।
ପୀରତି ନୟନେ ବାନ୍ଧି ଦେଇ ମୋତେ
ମନ ମୋର କ୍ରୟ କରି
କାମୁକ ଶସ୍ତ୍ର କି ଛାଡି ଗଲ ଅଙ୍ଗେ '
ନବ ବନିତା ସୁନ୍ଦରୀ ।
ପାଟ ବସ୍ତ୍ର ଦେହେ ପରିଧାନ କରି
ମଉନ ଅଧର କରି
ସ୍ୱଳ୍ପ କରି କୁହ କିଏ ଗୋ ଅପ୍ସରି
ହାସ୍ୟ ଅଧରେ ଯେ ଭରି ।
ଏକାନ୍ତ ରେ ତୁମେ କେ ଦିଗେ ଯାଉଛ
ଉତ୍ତର ଦେବ କି ମୋରେ
ପୁଚ୍ଛିଲି କି ବୋଲି କଣେଁଇ ଚାହିଁଲ
ଉତ୍ତର ନଦେଲ ମୋରେ ।
ଅପସରା କି ଗୋ ଅମ୍ବରୁ ଉଭିଲ
କାହୁଁ ପ୍ରକାଶିତ ହେଲ
ଏକାନ୍ତ କାନନେ ହାସ୍ୟ ହାସ୍ୟ ମନେ
କାହିଁ ପାଇଁ ଆସିଥିଲ ।
ଚାହିଁ ମନୋହରୀ ଉତ୍ତର ବଖାଣି
କହିଲେ ବାକ୍ୟ ମୋ ଶୁଣ
କେଉଁ ଦିଗେ ଅଛି ଅଙ୍କା ବଙ୍କା ନଦୀ
କହିବ କି ବନ୍ଧୁ ଜଣ ।
ଭ୍ରାନ୍ତି ପାଇଁ ମୁହିଁ ଆସିଛି ଯେ ଧାଇଁ
କେ ଦିଗେ ପର୍ବତ ଘର
କେଉଁ ପାର୍ଶ୍ଵେ ଗଲେ ପଡ଼ିବ ପର୍ବତ
ଶୀତଳ ନଦୀର ଝର ।
କହିବ କି ବନ୍ଧୁ ବନେ ପ୍ରସ୍ଫୁଟିତ
କେତେ ଜାତି ମାନ ପୁଷ୍ପ '
ମଧୁ ମକ୍ଷିକା କୁ ନା ନା ପ୍ରଜାପତି '
କେଉଁ ଦିଗେ ହେବ ପ୍ରାପ୍ୟ ।
ମନ ଉଲ୍ଲାସିତ କରିବା ପାଇଁ ମୁଁ
ଆସିଛି ପ୍ରକୃତି କୋଳେ
ଅନାବିଳ ଏହି ବାସ୍ତବ ଜୀବନୁ
କିଛି କ୍ଷଣ କାଳ ବଳେ ।
ଉପଭୋଗ୍ୟ ପାଇଁ ଆସିଅଛି ମୁହିଁ
କାନନ ର ବକ୍ଷ ଯହିଁ
ପ୍ରକୃତି ମାତା ର ପଣତ କୁ ଧରି
ପ୍ରକାଶିବି ଦୁଃଖ ମୁହିଁ ।
ଖେଳିବି ନାଚିବି ଝୁମିବି ଗାଇବି
ମୃଦ ପବନ ର ତାଳେ
ବାସ ଭରା ହେଇ ସକାଳ ସୂରୁଜ
ସୁନେଲି କିରଣ ଢାଳେ ।
କାହୁଁ ମୁଁ ପାଇବି ଅଲୌକିକ ଶାନ୍ତି
ଜନ ଗହଳି ସ୍ଥାନରେ
ଛାଡି ଯିବି ମୁହିଁ ଯେତେ ଦୁଃଖ କ୍ଲେଶ
ପ୍ରକୃତି ମାଆ କୋଳରେ ।

