ସଜ ସକାଳ
ସଜ ସକାଳ
ପହିଲି କିରଣ ସବାରୀରେ ବସି
ସ୍ୱର୍ଣ୍ଣ କାନ୍ତି ସ୍ୱର୍ଣ୍ଣ ମୟୁଖ ରସି ,
ଆସିଲକି ଗୋ ତୁମେ ସଜନୀ ରାଣୀ
ପଟ୍ଟ ବସ୍ତ୍ର ପଟ୍ଟ ଓଢ଼ଣି ଟାଣି ।
ଉନ୍ମୁକ୍ତ ଆକାଶେ ପ୍ରକାଶ ପ୍ରକାଶି
ଆଦିରସାତ୍ମକ ଯବନୀ ଖୋସି ,
ନବ ନବ ଆକାଂକ୍ଷା ସୌହାର୍ଦ୍ଦ ଆଣି
ନୂତନ ଆଶାର ବୀଜକୁ ବୁଣି ।
ଅବନୀ ପୃଷ୍ଠରୁ ଅନ୍ଧକାର କ୍ଷିତି
ତେଜୀୟାନ ଆଭା ନିରନ୍ତର ଘିତି ,
ବସ୍ତ୍ରେ ଭୂଷିତ ଯେ ରୂପେଲି ସୁନେଲି
ସବିତାର କାୟା ରକ୍ତାତ ନାଲି ।
ରକ୍ତିମ ଅଙ୍ଗକୁ ସେ ଶୋଭା ଅନନ୍ୟ
ସଜନୀ ଗୋ ତୁମ ରୂପ ସୁରମ୍ୟ ,
ନିତ୍ୟ ଜନ୍ମ ତୁମର ନିତ୍ୟ ଦେହାନ୍ତ
ପୁନର୍ଜନ୍ମେ ତୁମ୍ଭେ ହୁଅ ଜୀବନ୍ତ ।
ନିୟମରେ ବନ୍ଧା ନିୟତିରେ ଛନ୍ଦା
ପ୍ରତ୍ୟୁଷ କୁମାରୀ ଜଗ ବାସିନ୍ଧା ,
ଆଗମନେ ତୁମ୍ଭ ଜଗତ ରମିତ
ବୃକ୍ଷ-ଲତାଦି ପୁଷ୍ପେ ଶୋଭିତ ।
ବିହଙ୍ଗମ ସ୍ଵନ ଅନ୍ତର ତୋଷୁଛି
ପ୍ରକୃତିର ଚିତ୍ର ଆତ୍କୃଷ୍ଟ କରୁଛି ,
କଳନା ନାହିଁ ମୋ ସଖୀ ଶୋଭାର
ଦିବ୍ୟ ଆନନ ତା ଦିବ୍ୟ କାୟାର ।
ସଖୀ ଗୋ ତୁମ ରୂପ ଚାତୁରୀ
ସୁରଭିତ କାୟା ଗନ୍ଧ କସ୍ତୁରୀ ,
ବାସ ଖେଳିଯାଏ ପୁଷ୍ପ ବାସରେ
ପବମାନର ଏ ମନ୍ଦ ସ୍ରୋତରେ।
ଭୂବନ ମୋହିନୀ ମନକୁ ମୋହୁଛ
ପ୍ରକୃତି ବାନ୍ଧବୀ ମୋର ସାଜିଛ ,
ଅନ୍ତର ଯାତନା ଅନ୍ତର କରୁଛ
ବାନ୍ଧବୀଟେ ପରି ମନେ ରହିଛ ।
ସଜ ସକାଳରେ ସୁଚାରୁ ଆଣି
ସଜନୀ ଗୋ ତୁମେ ଅତି ରମଣୀ ,
ବାନ୍ଧବୀର ନାମ ସଜନୀ ରାଣୀ
ଥାଏ ଲଲାଟରେ ସ୍ୱର୍ଣ୍ଣ ଓଢଣି ।
ମଞ୍ଜୁଳ ଅମ୍ବର ମର୍ତ୍ତ୍ୟ ମନୋରମ
ତୁମ୍ଭ ଆଗମନେ ସବୁ ଉତ୍ତମ ,
ସଦୃଶ୍ୟ ଭରିଛ ଚିର କାଳକୁ
ଦିବସ କାଳେ ସୁଦିବ ଦୀପ୍ତିକୁ ।
