ବନ୍ଧୁତ୍ବ
ବନ୍ଧୁତ୍ବ
ବନ୍ଧୁତ୍ବର ମିଠା ଅମୃତ ଠୁଁ ବେଶୀ
ଥାଏ ତ୍ୟାଗ ଓ ମାନ ସମ୍ମାନ
ମାତ୍ର କପଟ ବନ୍ଧୁତ୍ବ ଅତି ଭୟଙ୍କର
ନିଏ ବିଷତୁଲ୍ୟ ଏ ଜୀବନ ।
ସବୁ ବନ୍ଧୁ ଠାରୁ ବାଲ୍ୟବନ୍ଧୁ ପ୍ରିୟ
ଯହିଁ ନ ଥାଏ ତିକ୍ତ ଛଳନା
କ୍ଷଣକେ ଆନନ୍ଦ କ୍ଷଣକେ ବିଷାଦ
କେହି ନହୁଅନ୍ତି ଆନମନା ।
ଅପୂର୍ଵ ସେ ସୁଖ ଅଭିମାନ ହୀନା
ରହେ ଚିର ସ୍ମରଣୀୟ ହୋଇ
ଯେତେବେଳେ ମନେ ଉଙ୍କି ମାରିଥାଏ
ମନ ନାଚିଉଠେ ଗୀତ ଗାଇ ।
ବୟସ ବଢ଼ିବା ସଙ୍ଗେ ବନ୍ଧୁ ବଢ଼ଇ
ହୁଅନ୍ତି ସୁଖଦୁଃଖର ସେ ସାଥି
ବିପଦ ଆପଦେ ସେ ଢାଳ ସାଜିଣ
କରନ୍ତି ବିଘ୍ନ ମାନଙ୍କର ଇତି ।
ଅଜାଗା ଘା ଟି ଭାରି କଷ୍ଟ ଦାୟକ
ଆନେ ନହୁଏ ଦେଖି ଦେଖାଇ
ମାତ୍ର ବନ୍ଧୁ ଠାରେ ବଖାଣି ହୁଏ ଟି
ତାର ଶୀଘ୍ର ଉପସମ ପାଇଁ ।
ନିଷ୍ଠାବନ୍ତ ବନ୍ଧୁ ସତ୍ୟ ପ୍ରିୟ ଥାଏ
ସେତ ଅଟଇ ଭରସା ଯୋଗ୍ୟ
ମିଥ୍ୟାଚାରି ବନ୍ଧୁ ଅଣ୍ଟି ଛୁରୀ ହୋଇ
ହନ୍ତେ ପରୋକ୍ଷେ ସବୁରି କାର୍ଯ୍ୟ ।
ମୁଖେ ରଖି ହସ ଅନ୍ତରେ ଟି ବିଷ
କରେ ବନ୍ଧୁର କ୍ଷତି ସାଧନ
ତା ଦୃଶ ବନ୍ଧୁକୁ ପରିତ୍ୟାଗ କର
ଏହା ପ୍ରକୃତିର ଯେ ବିଧାନ ।
ଉତ୍ତମ ବନ୍ଧୁଟି ହରଷ ହୁଅଇ
ଦେଖି ବନ୍ଧୁବର୍ଗର ପ୍ରଗତି
ନିକୃଷ୍ଟ ବନ୍ଧୁଟି ଇର୍ଷାଳୁ ହୋଇଣ
କରେ ନିଜର ସେ ଅବଗତି ।
କୃଷ୍ଣ ସୁଦାମା ଯେ ଦୁର୍ଯ୍ୟୋଧନ କର୍ଣ୍ଣ
ଥିଲେ ବନ୍ଧୁତ୍ୱର ପ୍ରଦର୍ଶନ
ମାତ୍ର କଳିକାଳ ଅଧମ ମନୁଷ୍ୟ
କରେ ବିପରୀତ କର୍ମମାନ
ମିତ୍ର ପତ୍ନୀ ଯେବେ ମାଆତୁଲ୍ୟ ଅଟେ
ତାର କରାଯାଏ ଟି ସମ୍ମାନ
ମାତ୍ର କଳିକାଳେ ପାମର ମନୁଷ୍ୟ
କରେ ବନ୍ଧୁପତ୍ନୀଙ୍କୁ ହରଣ ।
ଉଦ୍ଦେଶ୍ୟ ରଖିଣ କରେ ବନ୍ଧୁ ଭାବ
ମଝି ଦରିଆରେ ଛାଡ଼ି ଯାଏ
ଯଦି କେବେ କରେ ସାହାଯ୍ୟ ବନ୍ଧୁକୁ
ସେ ନ୍ୟୁନ ଦୃଷ୍ଟିରେ ଦେଖିଥାଏ ।
ବନ୍ଧୁତ୍ବର ଭାବ ଆତ୍ମିକ ମିଳନ
ଯହିଁ ନାହିଁ ଉଚ୍ଚନୀଚ ଭେଦ
ଥରେ ବାନ୍ଧିହେଲେ ମିତ୍ରତାର ସୂତ୍ରେ
କେହି ପାରନ୍ତିନି କରି ଛେଦ ।
ମିତ୍ରହୋଇ ଯେବେ ମିତ୍ରଦ୍ରୋହ କରେ
ତାକୁ କୃତଘ୍ନ କହେ ଦୁନିଆଁ
ପ୍ରେତାତ୍ମା ହୋଇଣ ଘୁରିବୁଲି ଥାଏ
ତାର ଆତ୍ମା କାନ୍ଦେ କୁଆଁକୁଆଁ ।
ପ୍ରୀତିହୀନ ବନ୍ଧୁତ୍ବ ଅପଯଶ ଲଭେ
ସେଇ ନାମ ମାତ୍ର ରୁହେ ସାର
ଶ୍ରଦ୍ଧାଯୁକ୍ତ ବନ୍ଧୁତ୍ବ ଦୀର୍ଘଜୀବି ହୁଏ
ତାର ଗାଥା ବର୍ଣ୍ଣିବା ଅପାର ।
ବନ୍ଧୁତାର ଅର୍ଥ ସମଭାବାପର୍ଣ୍ଣ
ଯହିଁ ନାହିଁ ରାଗ ଅଭିମାନ
ପରସ୍ପର ପ୍ରୀତି ପ୍ରତ୍ୟାଶା ରହିତ
ଯାହା ନିଷ୍କାମର ନିଦର୍ଶନ ।
ବନ୍ଧୁଭାବ ରଖ ଜଗବନ୍ଧୁ ଠାରେ
ସେଯେ ପିତାମାତା ପରିଜନ
ସଖା ସହୋଦର ଗୁରୁ ଈଶ୍ୱର
ଯିଏ ପ୍ରଦାନନ୍ତି ଦିବ୍ୟ ଜ୍ଞାନ ।
ବନ୍ଧୁ ବନ୍ଧୁ ବୋଲି କେତେ ମୁଁ ଡାକିଲି
ମାତ୍ର ଉତ୍ତର ନଦେଲେ କେହି
ଶେଷେ କୃପାସିନ୍ଧୁ ହେଲେ ଭକ୍ତବନ୍ଧୁ
ମୋର ବାସ୍ତବ ବନ୍ଧୁଟି ସେହି ।

