ଯୁବ ଜାଗୃତି
ଯୁବ ଜାଗୃତି
ବସନ୍ତ ଆଗମେ ପଲ୍ଲବିତ ହୁଏ
ନଗ୍ନ ପତ୍ରହୀନ ବୃକ୍ଷ ରାଜି
ମାନବ ଜୀବନେ ତଦୃପ ଆସଇ
ଯୌବନ ଶକ୍ତିପୁଞ୍ଜଟି ସାଜି ।
ବାଲ୍ୟ ଅବୋଧତା ଅପୂର୍ଣ୍ଣ ଜ୍ଞାନଟି
ହୁଏ ପରିପୁଷ୍ଟ ଜ୍ଞାନ ଭଣ୍ଡାର
କାୟିକ ବାଚିକ ସଙ୍ଗେ ମାନସିକ
ଲଭେ ପରିପକ୍ୱତା ଜୀବନର ।
ଲୌହ ମାଂସପେଶୀ ସବଳ ଧମନୀ
କରେ ଅଜେୟକୁ ପରାଜୟ
ଦୁର୍ଲଭକୁ ପାରେ ସୁଲଭ କରି ସେ
ଦେଇପାରେ ଭୀତଜନେ ଅଭୟ ।
ବିସ୍ତିର୍ଣ୍ଣ ସାଗର ପରି ହୃଦୟ ତାହାର
କରେ ନିଃସହାୟ ମାନବେ ସେବା
ପତିତ ଜନର ପାବନୀ ସାଜିଣ
ଯୋଗାଏ ହସ୍ତ ପ୍ରସାରିଣ ମେବା ।
ବାଧାବିଘ୍ନକୁ ସେ ସମୂଳେ ନାଶଇ
ତାର ପରିଚୟ ଅଟେ ଯୁବା
ଅନୁର୍ବର ଭୂମି ଫଳପ୍ରସୂ ହୁଏ
ବୋଲାଏ ଅମଙ୍ଗଳର ସେ ଶିବା ।
ପୁରୁଷାର୍ଥର ଏ ଉତ୍କୃଷ୍ଟ ସମୟ
ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ
କଷ୍ଟ ସହିଷ୍ଣୁତା କର୍ମ ପ୍ରବଣତା
ବିକାଶେ ପ୍ରାପ୍ତହୋଇ ସୁସଙ୍ଗ ।
ମାତ୍ର ଯୁବଶକ୍ତି ହୋଇଛି ଦୁର୍ବଳ
ତାର ଚାଲିଛି ଦୁରୁପଯୋଗ
ଦିବ୍ୟ ସାଧନାକୁ ପାଥେୟ ନକରି
କରୁଛି ଅହର୍ନିଶୀ କାୟା ଭୋଗ ।
ବାଲ୍ୟକାଳେ ସ୍ୱପ୍ନେ ଆକାଶ ଛୁଇଁବି
କରିବି ବିଶ୍ୱ ବ୍ରହ୍ମାଣ୍ଡ ପରିକ୍ରମା
ମାତ୍ର ଯୌବନେ ସେ କର୍ମଭୀରୁ ହୋଇ
ସାଜଇ ନ୍ୟୁନମନା ଦୁଷ୍କର୍ମା ।
ମାତୃପିତୃ ସ୍ନେହ ଅବା ପରିବାର
ପୁନଃ ବନ୍ଧୁ ଆତ୍ମୀୟ ସ୍ୱଜନ
ଯୌବନ ଉର୍ତ୍ତୁଙ୍ଗେ ଆବେଗ ଅବଶେ
କରେ ସେ ରାଷ୍ଟ୍ରଦ୍ରୋହ ଅପମାନ ।
ଯେଉଁ ପିତାମାତା ଶିକ୍ଷକ ଶିକ୍ଷିକା
ଦେଖୁଥିଲେ ଦେଶ ଭବିଷ୍ୟ ଭାବେ
ତୁଚ୍ଛ ମଦ୍ୟପାନେ କୁସଙ୍ଗ ଗମନେ
ଲଭଇ ଚୀର ଦୁର୍ଗତି ଏ ଭବେ ।
ଋଷି ସନ୍ତାନ ସେ ମନୁଙ୍କ ବଂଶଜ
ଜଗତେ ମାନବ ନାମେ ବିଦିତ
ପୂର୍ବ ଗୌରବଟି ବିସ୍ମୃତ ହୋଇଛି
କରେ ସେ ହିତ ବଦଳେ ଅହିତ ।
ପୂର୍ବପୁରୁଷ ଯାର ଓଲ୍ହାଇ ଆଣିଲେ
ଦୁର୍ଲଭ ସ୍ୱର୍ଗପୁରୁ ଗଙ୍ଗା ଜଳ
ତାଙ୍କ ସୁପୁତ୍ର ହୋଇ ଏ'କି ବେଭାର
ସାଜୁଛ ନିଷ୍କର୍ମି ଅମୃତ ବାଳ ।
ଉଚ୍ଚାକାଂକ୍ଷୀ ହୋଇ କର୍ମ କରିଚାଲ
ସମ୍ଭବିବ ସୁନ୍ଦର ଯୁବା କାଳେ
ନିସ୍ତେଜ ନହୋଇ ସକଳ ଶକତି
ଜାଗୃତି କୀର୍ତ୍ତି ଲଭ ମହୀତଳେ ।
ସିଂହ ଶାବକ ହୋଇ ସାର୍ଦ୍ଦୁଳକୁ ଭୟ
ନଶୋଭଇଟି କଶ୍ଚିତେ କେବେ
କର୍ମବୀରକୁ କେବେ ଆଳସ୍ୟ ନଶୋଭେ
କରେ ସେ ଉଦ୍ୟମେ ପ୍ରସନ୍ନ ଦେବେ ।
ମୂଷିକ ପ୍ରାପତେ ତୁ କ୍ଷେତ୍ର ନଖୋଳ
ନ ନଷ୍ଟ କ୍ଷଣିକ ଆନନ୍ଦେ ମୋକ୍ଷ
ନଶ୍ୱର ସୁଖରେ ନିର୍ବାଣ ନ ନାଶି
ଜାଗ୍ରତେ ପ୍ରାପ୍ତ ଜୀବନର ଲକ୍ଷ୍ୟ ।
ପୂର୍ବପୁରୁଷଙ୍କ ଆଶା ଭରସା ତୁ
ପୁଣି ଭବିଷ୍ୟ ପିଢ଼ି ନିର୍ମାତା
ଯୁଗପ୍ରବର୍ତ୍ତକ ମହାମାନବ ହେ
ଜାଗ ଯୁବଶକ୍ତି ରାଷ୍ଟ୍ର ବିଧାତା ।