ବିଶ୍ୱ ପ୍ରତିସ୍ପର୍ଦ୍ଧା
ବିଶ୍ୱ ପ୍ରତିସ୍ପର୍ଦ୍ଧା
ବିଜୟାସନେ ଉପବେସନାର୍ଥେ
ଚାଲିଛି ମହୀତଳେ ପ୍ରତିସ୍ପର୍ଦ୍ଧା
ସମର କରନ୍ତି ପ୍ରାଣକୁ ମୂର୍ଛିଣ
ଉନ୍ମାଦେ ଦିବାରାତ୍ରୀ ସର୍ବ ଯୋଦ୍ଧା ।
ତନ ମନ ଧନେ ସାଜି ପ୍ରତିସ୍ପର୍ଦ୍ଧି
ଆନନ୍ଦେ ରଚନ୍ତି ପ୍ରତିଯୋଗିତା
ଅନ୍ଧାନୁକରଣ କରନ୍ତି ସଭିଏଁ
ମାତ୍ର ଅଜ୍ଞାତ ତା ଉପଯୋଗୀତା ।
ନଇଚ୍ଛନ୍ତି କେହି ନ୍ୟୁନ ହେବା ପାଇଁ
ଚାହାଁନ୍ତି ସର୍ବେ ହୁଅନ୍ତୁ ତାର ଦାସ
ମାଲିକ ପଣେ ନିର୍ଦ୍ଦେଶିବା ପାଇଁ
ଇଚ୍ଛନ୍ତି ସସାଗରା ହେଉ ତା ବଶ ।
ନିର୍ଧନୀର ଥାଏ ଉଦରର ଚିନ୍ତା
ଚିନ୍ତେ ଧନାଢ୍ୟ ହେବ ବିତ୍ତଶାଳୀ
ରୋଗୀଟିଏ ଇଚ୍ଛେ ଆରୋଗ୍ୟ ନିମିତ୍ତ
ଇଚ୍ଛେ ସୁସ୍ଵସ୍ଥ ହେବ ଶକ୍ତିଶାଳୀ ।
ପଥହରା ଖୋଜେ ଗୃହ ମାର୍ଗଟିକୁ
ଥାଏ ପରିବାରର ଚିନ୍ତା ବ୍ୟାକୁଳେ
ପ୍ରତିଯୋଗୀ ମାର୍ଗେ ଉଦ୍ବିଘ୍ନ ହୁଅଇ
ସେ ପହଞ୍ଚିବାକୁ ଲକ୍ଷ୍ୟ ସ୍ଥଳେ ।
ବାସହୀନ ଚିନ୍ତେ ବାସସ୍ଥାନ ପ୍ରାପ୍ତି
ତାର ଲୁଚାଇବାକୁ ମୁଣ୍ଡଟିଏ
ରାଜପ୍ରାସାଦେ ରହି ବିଳାସି ଚିନ୍ତଇ
ବାନ୍ଧିବ ସ୍ୱର୍ଗକୁ ନିଶୁଣୀ ସିଏ ।
କୁରୂପୀ କନ୍ୟାଟି ଚାହେଁ ବର ପ୍ରାପତ
ବଞ୍ଚିବାକୁ ସୁଖୀ ସଂସାର ତା ସାଥେ
ସୁନ୍ଦରୀ ଲଳନା ଖୋଜେ ନିତ୍ୟ ନବପତି
ବୁଡିବାକୁ ତା ସଙ୍ଗେ ଶୃଙ୍ଗାର ରସେ ।
ଖାଦ୍ୟାଭାବେ ମରେ କ୍ଷୁଧାର୍ଥ ମାନବ
ମାତ୍ର ଧନୀକର ଯେ ଅଜୀର୍ଣ୍ଣ ଖାଦ୍ୟ
ଦରିଦ୍ରର ଅନ୍ନ ସଂଗ୍ରାମ ସମୟେ
ସେ ପିଅଇ ପ୍ରତିଯୋଗାତ୍ମକ ମଦ୍ୟ ।
ଛିନ୍ନ ବସ୍ତ୍ର ପିନ୍ଧି ରାଜରାସ୍ତେ ଶୁଏ
ଅନାଥ ନିଃଶହାୟ ଅବୋଧ ଶିଶୁ
କଷ୍ଟ୍ୟୁମ୍ ଡିଜାଇନରେ ପ୍ରତିସ୍ପର୍ଦ୍ଧି ସାଜି
ରେ ମାନବ ସଂମ୍ଭ୍ରାନ୍ତ ବୋଲାଇ ହସୁ ।
ଜ୍ଞାନ କୌଶଳରେ ପ୍ରଯୁକ୍ତି ବିଦ୍ୟାରେ
ହୁଅଇ ବିଶ୍ୱ ବିକାଶ ବିଶ୍ୱ ହିତ
ମାତ୍ର ପ୍ରତିସ୍ପର୍ଦ୍ଧା ମାରଣାସ୍ତ୍ରେ କଲେ
ଦେଶ ମାନେ ରହିବେ କଳହ ରତ ।
ବିକ୍ଷିପ୍ତ ସମାଜ ଚାହେଁ ଶୃଙ୍ଖଳା ଜାଗୃତି
ଥାଏ ଗୁରୁଦାୟୀତ୍ୱ କବିଙ୍କର
ମାତ୍ର ବ୍ୟଙ୍ଗାତ୍ମକ ଅଶ୍ଳୀଳ ସୃଷ୍ଟିର
ଚାଲିଅଛି ପ୍ରତିସ୍ପର୍ଦ୍ଧା ଭୟଙ୍କର ।
ଜ୍ଞାନୀ ଜନେ ନିହିତ ମାନବିକ ତତ୍ତ୍ୱ
କରନ୍ତି ସେ ନିରପେକ୍ଷ ସମୀକ୍ଷାର
ପ୍ରତିଯୋଗୀ ସାଜି ଜ୍ଞାନୀ ପଥଭ୍ରଷ୍ଟେ
ଦିଏ ସେ ଅନ୍ୟାୟ ନୀତି ବିଚାର ।
ବିଚିତ୍ର ସଂସାରର ପ୍ରତିସ୍ପର୍ଦ୍ଧାକୁ ମୁଁ
କରଇ ବାରମ୍ବାର ଦଣ୍ଡବତ
ବ୍ୟକ୍ତିଗତ ସ୍ୱାର୍ଥ ବିନାଶ କାରକ
କରେ ସେ ସାର୍ବଜନୀନ ଶାନ୍ତି ହତ ।
ମାନପତ୍ର ଲୋଭେ ପଦବୀ ଲାଳସେ
ସଂସାରେ ନଚାଲୁ ପ୍ରତିଯୋଗିତା
ପ୍ରତିସ୍ପର୍ଦ୍ଧା ଚାଲୁ ସର୍ଵ କଲ୍ୟାଣାର୍ଥେ
ହେଉଟି ସଶକ୍ତ ବିଶ୍ୱ ଏକତା ।
ପରୋପକାରାର୍ଥେ ପ୍ରତିସ୍ପର୍ଦ୍ଧା ହେଉ
ଜଗତେ ସେବା କାର୍ଯ୍ୟଟି ହେଉ ମୁଖ୍ୟ
ଦୁଃଖୀରଙ୍କୀ ମୁଖେ ହାସ୍ୟ ସଞ୍ଚାରିବା
ହେଉଟି ଜୀବନର ପରମ ଲକ୍ଷ୍ୟ ।
