ବଳି ନୁହଁ ବଳୀଦାନ
ବଳି ନୁହଁ ବଳୀଦାନ
ଏକ ଈଶ୍ୱରଙ୍କ ସନ୍ତାନ ଯେ ଆମେ
ସର୍ବେ ଏକ କୁଟୁମ୍ବର ସଭ୍ୟ
ପଞ୍ଚ ମହାଭୁତ କାୟାଟି ଆମର
ଯହିଁ ଆତ୍ମାରାମ ଟି ସୁଲଭ୍ୟ ।
ଈଶ୍ୱର ଈଶ୍ୱରୀ ଅଭେଦ ଅର୍ଦ୍ଧାଙ୍ଗ
ଜଣେ ପିତା ହେଲେ ଆନେ ମାତା
ତାଙ୍କ ସୃଷ୍ଟିର ତାଙ୍କୁ ପଦାର୍ଥ ବିତରି
ଆମ୍ଭେ ବୋଲାଉ ନିର୍ଲଜେ ଦାତା ।
ଦିବ୍ୟ ଜ୍ଞାନ ସୁସ୍ଥ ଶରୀର ଦେଇକି
ଦିଏ କର୍ମ ଅନୁଯାୟୀ ଫଳ
ସୁକର୍ମ କରିଲେ ଅମୃତ ଲଭଇ
ପ୍ରାଣୀ ଦୁଷ୍କର୍ମେ ଲଭେ କୁଫଳ ।
ଯେଉଁ ମାତା ସର୍ବ ପୁତ୍ରର ଜନନୀ
କଣ ଧ୍ବଂସି ପାରେ ତାର ସୁତ
ଏକକୁ ରକ୍ଷିବା ପାଇଁକି ଆନେକୁ
କେବେ କରିପାରିବକି ହତ ।
ପଞ୍ଚ ମନ ମଧ୍ୟେ ସୁମନ ସମର୍ପି
କଲେ ଈଶ୍ୱରଙ୍କର ଭକତି
ସର୍ବ ଦେବାଦେବୀ ସନ୍ତୁଷ୍ଟ ହୁଅନ୍ତି
ନାହିଁ ଗାଇବାର କ୍ଳିଷ୍ଟ ସ୍ତୁତି ।
ବାସୁଦେବମୟ ସସାଗରା ଧରା
ସର୍ବେ ଏକ ପରମାତ୍ମା ବଂଶ
ଜୀବନ ଯା ଅଛି ବୋଲାଏ ଜୀବତ୍ମା
ସେ ପଶୁ ହେଉକି ନର ଅଂଶ ।
ବସ୍ତୁବାଦୀ ସାଜି ସ୍ୱାର୍ଥ ପୂର୍ତ୍ତି ପାଇଁ
ଭାଇ ଭାଇକୁ ଦେଉଛି ବଳି
ଅଜ୍ଞାନ ପାମର ଭକତି ନଜାଣେ
ମୂର୍ଖ ପଶୁରକ୍ତେ ପୂଜୁଛି କାଳୀ ।
ଦୁନିଆଁ ଜାଣିଛି ଚିରନ୍ତନ ସତ୍ୟ
ସଦା ଧର୍ମର ହୁଅଇ ଜୟ
ପଶୁବଳୀ ଦେଇ ଦେବେ ପୂଜିଲେ ହେଁ
ହୁଏ ଅଧର୍ମର ପରାଜୟ ।
ତୁମ୍ଭ କଲା କର୍ମେ ନିରୀହ ପ୍ରାଣୀଙ୍କ
ତିଳେ ନାହିଁଟି ଯେ ପ୍ରୟୋଜନ
ନିଜ ଇଚ୍ଛାପୂର୍ତ୍ତି ପାଇଁକି ଅଯଥା
ଭାଇ ନକର ପଶୁ ହନନ ।
ଗୀତାଗ୍ରନ୍ଥେ ସ୍ୱୟଂ ମାତା କହିଛନ୍ତି
ଅଟେ ଜୀବ ହତ୍ୟା ମହାପାପ
ନିର୍ଦେଶକ ସଙ୍ଗେ ହତ୍ୟାକାରୀ ଟିକୁ
ପୁଣି ଭକ୍ଷକକୁ ଲାଗେ ପାପ ।
ହେ ପଣ୍ଡିତଜନେ ସମୀକ୍ଷା କର ହେ
ଯେବେ ଧର୍ମ ଅଧର୍ମ ମତ ଦିଅ
ହିଂସା ଆଚରିଣ ଜୀବେ ଦୁଃଖଦେବା
ଏ କଣ ଧାର୍ମିକ ନୀତିଟି କୁହ ।
ସର୍ବ ଶାସ୍ତ୍ରେ ଲେଖା ଶାନ୍ତି ଦୟା କ୍ଷମା
ଅଟେ ଅହିଂସା ପରମ ଧର୍ମ
ନିଜେ ବଞ୍ଚିବାକୁ ଅନ୍ୟକୁ ହାଣିବା
ତବ ଏକି ମାନବୀୟ କର୍ମ ।
ଦମ୍ଭ ଅଛି ଯଦି ନିରୀହେ ନହାଣି
ଦେଶ ଶତ୍ରୁଙ୍କୁ ଦିଅହେ ଜାଳି
ଦେଶ ମାତୃକାର ପଦ ଧୌତ କର
ନିଜ ଶରୀରୁ ରୁଧିର ଢ଼ାଳି ।