ସମ୍ପୁର୍ଣ୍ଣ କାଳ୍ପନିକ-ଲାବଣ୍ୟପରୀ
ସମ୍ପୁର୍ଣ୍ଣ କାଳ୍ପନିକ-ଲାବଣ୍ୟପରୀ
ଅଗନା ଅଗନି ବନାନୀ ଭିତରେ
ଝରୁଥିଲା ନିର୍ଝରିଣୀ
ସେ ପାର୍ଶ୍ଵ ରେ ଥିଲା ଅତୀବ ସୁନ୍ଦର
ପୁଷ୍ପ ଭରା ପୁଷ୍କରିଣୀ
ବନ୍ୟ ପକ୍ଷୀ ରାଗିଣୀ ରେ
ନନ୍ଦନକାନନ ପରି ଲାଗୁଥିଲା
ବନ୍ୟଜନ୍ତୁ ସହଚରେ ।୧ ।
ସରୋଜ ର ନୀରେ ସ୍ନାନରତା କ୍ରୀଡା
ଅନନ୍ୟା ମୟୀ ତରୁଣୀ
ପ୍ରୀତି ଆଲିଙ୍ଗନେ ଚହଲି ଉଠଇ
ପୁଷ୍ପ ଭରା ପୁଷ୍କରିଣୀ
କାମିନୀ ରୂପସୀ ମେଳେ
ବୃକ୍ଷ ଆଢୁଆଳେ ଦେଖୁଥିଲି ତାଙ୍କ
ଜଳକ୍ରୀଡା କୌତୁହଳେ ।୨ ।
ସହସା ତହିଁରୁ ଦେଖିଦେଲା ମୋତେ
କହେ ଅନ୍ୟ ସହଚରୀ
ଦେଖ ଗୋ ବାନ୍ଧବୀ ସେ ବୃକ୍ଷ ପାର୍ଶ୍ଵରେ
ଦେଖେ କିଏ ଲୁଚିକରି
ଚମକି ସର୍ବେ ଆସିଲେ
କୁହ ହେ ମାନବ କିବା ମନେଭାବି
ଆମ୍ଭ କ୍ରୀଡା ଦେଖୁଥିଲେ ।୩ ।
ଦେଖି ରୂପସୀ ଙ୍କ ଅନନ୍ୟା ଲାବଣ୍ୟ
ଭୁଲିଥିଲି ନିଜ କଥା
ତଥାପି ସଂଜମ ଆଚରେ କହିଲି
ନିଜ ମନ ଭାବ ବ୍ୟଥା
ଶୁଣ ଗୋ ରୂପସୀ ରାୟ
କେଉଁ ଦେଶୁ ତୁମ୍ଭେ ଆସିଛ ସୁନ୍ଦରୀ
ଦିଅ ତୁମ୍ଭ ପରିଚୟ ।୪ ।
ଶୁଣି ମୋର ବାଣୀ କହେ ସେ ତରୁଣୀ
ଆମ୍ଭେ ଅଟୁ ସବୁ ପରୀ
ପରୀ ରାଇଜରେ ନିବାସ ଆମ୍ଭର
ସବୁ ଆମେ ସହଚରୀ
ତୁମେ ତ ପୃଥିବୀ ବାସୀ
ଯେବେ ଆମ ମନ ହୁଏ ଆମେ ଆସୁ
ମନ କରିବାକୁ ଖୁସି ।୫ ।
ମନରେ ସାହସ ସଞ୍ଚୟ କରି ମୁଁ
କହିଲି ଶୁଣ ଗୋ ପରି
ଦେଖିଥାନ୍ତି ତୁମ ଭୁବନ ମଣ୍ଡଳ
କେମିତି ଦେଶ ତୁମ୍ଭରି
ଦେଖିବାକୁ ମନ ମୋର
ବଢଇ ମନରେ ଅତୀବ ଆଗ୍ରହ
କର ମନରେ ବିଚାର ।୬ ।
କଥା ମୋର ଶୁଣି ସବୁ ସେ ତରୁଣୀ
ହସନ୍ତି ଆନନ୍ଦ ମନେ
କହେ ଜଣେ ପରୀ ହେ ମାନବ ଭାଇ
ଅସମ୍ଭବ ଶୁଣେ କାନେ
ଆମ୍ଭ ପୁର ଯିବା ମନା
ପୁରୁଷ ର ଛାଇ ନ ପଡେ ସେଠାରେ
ବୃଥା ଆଶା କର ସିନା ।୭ ।
ପରୀ ରୂପସୀ ର କଥା ଶୁଣି ମନେ
କିଞ୍ଚିତ ବିସ୍ମିତ ହେଲି
ଉତ୍ତର ଆଶାରେ ଜିଜ୍ଞାସା କରିଲି
ସବୁ ବାସ୍ତବତା ଭୂଲି
କୁହ ଗୋ ପରୀ କୁମାରୀ
ବିନା ପୁରୁଷ ରେ କିପରି ସମ୍ଭବ
ପରିବାର ସୁକୁମାରୀ ।୮ ।
କହେ ସେ ଲାବଣ୍ୟମୟୀ ପରି କନ୍ୟା
ଆମ୍ଭେ ବିଧାତା ଙ୍କ ଜାତ
ନାହିଁ ଆମ୍ଭ ଠାରେ ବାର୍ଦ୍ଧକ୍ୟ କାମନା
ଲାଳସା ପ୍ରଣୟ ମିତ
ଅଟୁ ଯେ ଆମେ ଅମର
ସଦା କାଳେ ଆମେ ଅନନ୍ୟା ସୁନ୍ଦରୀ
ଯୌବନ ଆମର ଚିର ।୯ ।
ଯାଉଅଛୁ ଏବେ ଆମ୍ଭେ ଆମ୍ଭ ପୁର
ରଖିବ କଥା ଗୁପତ
ପ୍ରକାଶିବ ନାହିଁ ମାନବ ସମାଜେ
ଶୁଣ ଗୋ ମାନବ ମିତ
କହି ଉଡ଼ିଲେ ଆକାଶେ
ସତେ ଅବା ମୁହିଁ ଦେଖୁଥିଲି ସ୍ଵପ୍ନ
ଭାବୁଥିଲି ଅବଶୋଷେ ।୧୦ ।