ସଂସାର ବନ୍ଧନ
ସଂସାର ବନ୍ଧନ
ଗୁରୁ ନିତ୍ୟାନନ୍ଦ ଆଶ୍ରମେ ଆନନ୍ଦ ନାମେ ଥିଲେ ଶିଷ୍ୟବର
ବାର ବରଷରୁ ସଂସାର ତାପରୁ ମୁକ୍ତି ପାଇଁ ତତପର ।
ବରି ବ୍ରହ୍ମଚର୍ଯ୍ୟ ସେବିଲେ ଆଚାର୍ଯ୍ୟ ଭକ୍ତି ଜ୍ଞାନ ଅରଜିଲେ
ଶତ ଶତ ଶିଷ୍ୟଗଣରେ ବରିଷ୍ଠ ସମ୍ମାନୀୟ ବୋଲାଇଲେ ।
ବାର ବର୍ଷ ପରେ ଶିଷ୍ୟଙ୍କ ଗ୍ରାମରେ ଗୁରୁ ହେଲେ ଉପଗତ
ପିତା ମାତା ଭ୍ରାତା ଭଗ୍ନୀ ରୂପା କଥା ସ୍ମରି ହେଲେ ମର୍ମାହତ ।
ଗୁରୁ ଅନୁମତି ନେଇଣ ଝଟତି ସ୍ୱଗୃହେ ହେଲେ ହାଜର
ଆନନ୍ଦକୁ ପାଇ ଆନନ୍ଦ ଲହରୀ ଖେଳିଲା ସବୁ ମୁଖର ।
ନଯା ବାପଧନ ସନ୍ୟାସରେ ମନ ଦିଅନା ଜ୍ୟେଷ୍ଠ ନନ୍ଦନ
ସାଙ୍ଗ ଝିଅ ପାର ସଙ୍ଗେ ବିଭାଘର କରିଦେବି ଆୟୋଜନ ।
ନାତି ନାତୁଣୀକୁ ଦେଖିବ ନୟନ ଜୀବନ ହେବ ସାର୍ଥକ
ଜାଳି ଯଉବନ ବାବାଜୀ ଜୀବନ ଜାପିବାଟି ନିରର୍ଥକ ।
ପିତାଙ୍କ କଥାରେ ଗୃହ ମମତାରେ ମନ ହେଲା ଆକର୍ଷିତ
ଗୁରୁ ଅନୁମତି ନେଇ ସେ ଝଟତି ହେଲା ନବ ପରିଣୀତ ।
ସଂସାରବନ୍ଧନେ ବାନ୍ଧି ହୋଇଗଲା ସୁତା ସୁତ ହେଲା ପ୍ରାପ୍ତ
ମୃଗ ନୟନାର ବାଣେ ବଣା ହୋଇ ହେଲା ବିଷୟା ଆକ୍ରାନ୍ତ ।
ଦଶ ବର୍ଷ ପରେ ଗୁରୁବର ଆସି କରାଇ ଦେଲେ ସ୍ମରଣ
ସଂସାରର ଫାଶ କାଟି ଚାଲି ଆସ ମୁକ୍ତି କର ଅନ୍ୱେଷଣ ।
ଆଉ ଦଶ ବର୍ଷ ସମୟ ଦିଅ ମୁଁ ଝିଅ ବିଭାଘର ପରେ
ସକଳ ଜଞ୍ଜାଳ ଛାଡ଼ି ଚାଲିଯିବି ନିଶ୍ଚିନ୍ତରେ ଆଶ୍ରମରେ ।
ଦଶ ବର୍ଷ ଗଲା ଝିଅ ବାହା ହେଲା ଶିଷ୍ୟ ଯହୁଁ ନଫେରିଲା
ଦିନେ ସେହି ଗ୍ରାମ ନିକଟକୁ ସନ୍ଥ ବାବାଙ୍କ ପାଦ ପଡ଼ିଲା ।
ଦେଖିଲେ ଆନନ୍ଦ ହଳ କାମସାରି ଫେରୁଅଛି ଦଣ୍ଡା ବାଟେ
ସେହି ପଥେ ଗୁରୁ ରହିଲେ କୁଣ୍ଢାଇ ନିମ ତରୁ ଧରି ଆଣ୍ଟେ ।
ପହଞ୍ଚୁ ନିକଟ ଡାକେ ଋଷିରାଟ ଏ ଗଛ ମୋତେ ଧରିଛି
କିଏସେ ଯାଉଛ ମୁକୁଳାଅ ବତ୍ସ ମୋତେ ଗଛ କୁଣ୍ଢାଇଛି ।
ଶୁଣି ଶିଷ୍ୟମଣି ପାଶେ ଯାଇ ପୁଣି ଦେଖେ ନିଜ ଗୁରୁଦେବ
ପାଦରେ ପ୍ରଣମି କହିଲା ହେ ସ୍ୱାମୀ ବୃକ୍ଷ କିଆଁ କଷ୍ଟ ଦେବ ।
ଆପଣ କୁଣ୍ଢାଇ ଅଛନ୍ତି ବୃକ୍ଷକୁ ଏବେ ହାତ ଖୋଲି ଦିଅ
ହସି ନିତ୍ୟାନନ୍ଦ ଭାଷିଲେ ଆନନ୍ଦ ରହସ୍ୟ ମନକୁ ନିଅ ।
ସଂସାର ପାଦପ କୁଣ୍ଢାଇଛ ତୁମେ ଏବେ ହାତ ଖୋଲା କର
ଅମୃତ ସରଣୀ ଧର ପୁତ୍ରମଣି ମାୟାରେ ବୁଡ଼ି ନମର ।
ଖୋଲି ଗଲା ଜ୍ଞାନ ତୃତୀୟ ନୟନ ସହସା ଛାଡିଲା ଘର
ଗୁରୁ ସଙ୍ଗତରେ ମହା ଆନନ୍ଦରେ ମିଳେ ଯାଇ ଆଶ୍ରମର ।
ସଂସାର ଅର୍ଣ୍ଣବ ମୀନଟି ମାନବ ଜଞ୍ଜାଳ ଅଟଇ ଜାଲ
କାଳ ହିଁ ଧୀବର ଛକି ବସିଅଛି ଧରି ପୂରାଇବ ଖାଳ ।
ଜଞ୍ଜାଳକୁ କାଟ ବୁଲ ଗୋଲାହାଟ ବଙ୍କୁନାଳ ପଥ ଧର
ସଂସାର ବନ୍ଧନ ହୋଇବ ମୋଚନ ବେଳୁ ଚିନ୍ତ ଚକ୍ରଧର ।
