STORYMIRROR

SARATA KUMAR DAS

Abstract

3  

SARATA KUMAR DAS

Abstract

ଈଶ୍ଵରଙ୍କୁ ଚିଠି

ଈଶ୍ଵରଙ୍କୁ ଚିଠି

1 min
672


କାହିଁକି ଡାକିବି ଈଶ୍ଵର ତୁମକୁ

ଅକୁଳ ପ୍ରାଣରେ ନିତି ,

କାହିଁକି ବାଢିବି ଭକ୍ତିର ନୈବେଦ୍ୟ,

ଶୁଦ୍ଧ ଚିତ୍ତେ ଦିବା ରାତ୍ରି ।


କାହିଁକି ଯିବି ମୁଁ ମସଜିଦ, ଗୀର୍ଜା,

ମନ୍ଦିର ବା ଗୁରୁଦ୍ବାର,

ଜୀବନ ପାତ୍ର ମୋ ଭରି କି ପାରିବ

ଦେଇ ଦିବ୍ୟ ଉପହାର ??


ସଜାଡିବି ନାହିଁ ପୂଜାଥାଳି ଆଉ

ଧୂପ ଦୀପ ନାନା ଭୋଗ,

ମନ୍ତ୍ର ଉଚ୍ଚାରଣ ଉପାସନା ବ୍ରତ

ବିଶ୍ବାସର ଯେତେ ମାର୍ଗ ।


କାଷ୍ଠ ପାଷାଣରେ ବନ୍ଦୀ କି ହୋଇଛ

ଆଲୋକକୁ କର ଭୟ,

ହିଂସା କପଟର ସାଥୀ ପାଲଟିଛ

ଅସତ୍ୟ ପଥେ କି ଲୟ ??


ସୂର୍ଯ୍ୟାଲୋକ ଆଜି ଅନ୍ଧକାର ଘେରା

ଜହ୍ନ ଲୁଚେ ପୂର୍ଣ୍ଣିମାରେ,

ଟିକିଟିକି ତାରା ଲୋତକରେ ଭରା

ମେଘ ଢାଙ୍କେ ଅବେଳରେ ।


ଅଳସ ଭାଙ୍ଗୁଛି ପାପୀ ପାପାଚାର

ଦୁର୍ନୀତିର ନାଗଫାଶ,

ଶୋଷଣ କଷଣ ନିର୍ଯ୍ଯାତନା ଯେତେ 

ହସେ ଖିଲି ଖିଲି ହସ ।


କଡ ନେଉଟାଏ ଅବିଶ୍ବାସ ଏଠି

ବିଶ୍ବାସର ଲୁଚକାଳି,

ସତ୍ୟର ସହରେ ଅସତ୍ୟର ଚିହ୍ନ 

ଶକୁନିର ପଶାପାଲି ।


ଯାତନାର ଜୁଇ ଜଳେ ଦିକି ଦିକି

ଛୁଇଁ ଯାଏ ଚଉଦିଗ,

ରୁକ୍ଷ ଆବେଗ କବଳିତ କରେ

ଚେତନାର ଦିବ୍ୟ ମାର୍ଗ ।


ଚକା ଆଖି ତୁମ ସ୍ବତଃ ମୁଦି ହୁଏ

ଦେଖି ଏ ବିଭତ୍ସ ଚିତ୍ର,

ତୁମ ଚଉବାହା ଏତେ ହୀନବଳ 

ଖୋଜି ମିଳେନାହିଁ ସୂତ୍ର ।


ବିଶ୍ବବାସୀଙ୍କର ଅତୁଟ ବିଶ୍ବାସ 

କେମିତି ଭାଙ୍ଗୁଛ କୁହ,

ତୁମ ବଡଦାଣ୍ଡ ବଡଦେଉଳରେ

ଲହଡି ଭାଙ୍ଗୁଛି କୋହ ।


ଅନ୍ୟାୟ ,ଅନୀତି ,ଅଧର୍ମ, କୁକର୍ମ 

କାୟା ବିସ୍ତାରିଛି ଏବେ,

କେତେ ବା ସହିବେ ଝଡଝଂଜା ଏତେ

ମୁହଁ ଖୋଲି କୁହ ତେବେ ।


ଯଦି ଅସହାୟ ତୁମେ ହେ ଈଶ୍ଵର 

କାହିଁକି ଏ ସମର୍ପଣ ??

ତ୍ୟାଗ କର ତୁମ ଛପନ ପଉଟି

ରାଜଭୋଗ ସିଂହାସନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract