ଫଗୁଣର ଅଭିସାର
ଫଗୁଣର ଅଭିସାର
ବସୁନ୍ଧରା ପୃଷ୍ଠେ ଭବ୍ୟ ସମାରୋହ
ବସନ୍ତର ଆଗମନେ,
ସବୁଜ ବନାନୀ ନବ ପଲ୍ଲବିତ
ମଧୁସିକ୍ତ ସମ୍ମୋହନେ ।
କୋକିଳ କୂଜନ ଶୁଭେ ଆମ୍ବ୍ର କୁଂଜେ
ସୁବାସିତ ପୁଷ୍ପପୁର ,
ମୁଗ୍ଧ ମୂର୍ଚ୍ଛନାରେ ପୁଲକିତ ଅଙ୍ଗ
ଝଂକୃତ ପ୍ରୀତିର ସ୍ବର ।
ମୁଠା ମୁଠା ସ୍ବପ୍ନ ନବ ଉଚ୍ଛ୍ବାସରେ
ଫୁଲର ଦୋଳିରେ ଝୁଲେ,
ପାର୍ବଣର ରେଣୁ ଝରେ ଝରଝର
ବାସ୍ନାୟିତ ଅବହେଳେ ।
ପ୍ରୀତିର ଦୀପାଳି ଉର୍ଦ୍ଧ୍ବମୁଖୀ ଜଳେ
ଆକାଶକୁ ଛୁଏଁ ଜ୍ୟୋତି,
ଜ୍ୟୋସ୍ନା ବିଧୌତ ରାତ୍ରିର ପ୍ରହର
ଗାଏ ମିଳନର ଗୀତି ।
ହୃଦୟର ସୂକ୍ଷ୍ମ ଚିତ୍ରପଟ ପରେ
ଦୃଶ୍ୟ କାମନାର ଛବି ,
ରଙ୍ଗ ଅବିରର କମନୀୟ ସ୍ପର୍ଶେ
ଝଲମଲ ଅସ୍ତରବି ।
ପ୍ରେମ ଉପବନେ ମଧୁପ ଗୁଂଜନ
ମନ ପ୍ରାଣ ନିଏ ମୋହି,
କଳ କଳ ବହେ ପ୍ରୀତି ଫଲ୍ଗୁଧାର
ନୀଳ ଓଠ ଯାଏ ଛୁଇଁ ।
ଆରକ୍ତ କପାଳେ ଉଙ୍କି ମାରେ ସିକ୍ତ
ଚନ୍ଦନର ସ୍ନିଗ୍ଧ ଗାର,
ମହମହ ବାସେ ନୀଳ ଉପତ୍ୟକା
ଢଳ ଢଳ ସ୍ବପ୍ନପୁର ।
ପ୍ରୀତି ସାଗରର ଉର୍ମିମାଳା ଛୁଏଁ
ହୃଦୟର ବେଳାଭୂଇଁ,
ଫଗୁଣର ନୀଳ ଅଭିସାର ଖୋଜେ
ଗୋଲାପ ବଣର ଛାଇ ।