STORYMIRROR

DILIP KUMAR SAHOO

Inspirational

4  

DILIP KUMAR SAHOO

Inspirational

ମାଆ ଭଗବତୀ

ମାଆ ଭଗବତୀ

2 mins
278


ଭାଲେରି ସୋଲେରି ଚିଲିକା ଲହରୀ

ଘଣ୍ଟଶିଳା ଗାଏ ଗୀତି

ମହିମା ମୟୀ ମୋ ମାଆ ଜୟଗାନ

ମାଆ ମୋର ଭଗବତୀ।୧।


ଦକ୍ଷ ପ୍ରଜାପତି ଯଜ୍ଞରେ ଆହୁତି

ଦେଇଥିଲେ ମାଆ ସତୀ

ମାଆଙ୍କର ମର ଶରୀର ଖଣ୍ଡରୁ

ମାଆ ଭଗବତୀ ସୃଷ୍ଟି।୨।


ଅଷ୍ଟକିଳା ଭାବେ ଅଷ୍ଟ ମହାଶକ୍ତି

ରାଇଜରେ ଆମ କ୍ଷାତ

ତାଙ୍କରି ଭିତରୁ ଜଣେ ଭଗବତୀ

କୋଟି କୋଟି ପ୍ରଣିପାତ।୩।


ବାଣାସୁର ପୁର ସେହି ବାଣପୁର

ଚିଲିକା କୂଳରେ ଗାଆଁ

ଯୁଗ ଆରମ୍ଭ ରୁ ସେ ପୁଣ୍ୟ ପୀଠରେ

ପୂଜା ପାଉଛନ୍ତି ମାଆ ।୪।


କେତେ ଲୋକ କଥା କେତେ କିମ୍ବଦନ୍ତୀ

ମାଆଙ୍କ ମହିମା ଗାଏ

ପାଖେ ଥିଲେ ଫୁଲ ସିନ୍ଦୂର ମାଆଙ୍କ 

ସବୁ କାମ ଶୁଭ ହୁଏ।୫।


ବୌଦ୍ଧ ତନ୍ତ୍ର ଯାନି ଆଦିବାସୀ ଆଉ

ଶକ୍ତି ଉପାସକ ଶାକ୍ତ

ତୁମରି ଚରଣେ ଶରଣ ଯାଆନ୍ତି 

ସଭିଏ ତୁମରି ଭକ୍ତ ।୬।


ତୁମେ ଖମ୍ବେଶ୍ୱରୀ ତୁମେ ମାହେଶ୍ବରୀ

ପତିତ ତାରଣ ମାଆ

ନିଷ୍ଠା ରେ ପୂଜିଲେ ଭକ୍ତିରେ ଭଜିଲେ

ତୁମେ ହୋଇଥାଅ ସାହା ।୭।


ତୁମ ଗାଥା କଥା ଜୟଗାନ କରେ

ବାଣପୁର ଇତିହାସ 

ଘଣ୍ଟଶିଳା ପାଦେ ସରତୁଆ କୂଳେ

ତୁମରି ଭବ୍ୟ ପରସ ।୮।


ଖମ୍ବେଶ୍ୱରୀ ଭାବେ ପାଉଥିଲ ପୂଜା

ସରତୁଆ ନଦୀ କୂଳେ

ଶବରମାନେତ କରୁଥିଲେ ପୂଜା

ଘନ ବନାନୀର କୋଳେ ।୯।


ଗୌରୀପୁତ୍ତ ସଙ୍ଘ ବୌଦ୍ଧ ଧର୍ମ ତନ୍ତ୍ର 

ଯାନ ଅନୁଗାମୀ ସେହି 

ତୁମ ଶିଳା ମୂର୍ତ୍ତି ଗଢିଥିଲେ ବୋଲି

ଇତିହାସ ଯାଏ କହି ।୧୦।


ମହୀଷ ମର୍ଦ୍ଦନୀ ଅଷ୍ଟଭୂଜା ମୂର୍ତ୍ତି

ଅପୂର୍ବ ସେ ଶୋଭାବନ

ଦୁଇ ହାତେ ମାଆ ତ୍ରିଶୁଳ ଧରିତ

କରନ୍ତି ଦୈତ୍ୟ ଦଳନ ।୧୧।


ଆନ ଚାରି ହାତେ ସୁସଜ୍ଜିତା ମାଆ

ଧରି ଭବ୍ୟ ଅସ୍ତ୍ରଶସ୍ତ୍ର 

ତୀକ୍ଷ୍ଣ ଅଙ୍କୁଶ ସେ ଶଙ୍ଖ ଚକ୍ର ପୁଣି

ଖଡ଼୍ଗ ସର୍ପ ଧନୁଶର ।୧୨।


 ପାଦରେ‌ ଲୋଟଇ ରକ୍ତ ଜୁଡୁବୁଡୁ

ମହୀଷ ର କଟା ଶିର

ପାସେ ଥାଏ ତାର ମସ୍ତକ ବିହୀନ

ଅସୁର ମହୀଶାସୁର ।୧୩।


ବର୍ଷ ବର୍ଷ ଧରି ଗଛମୂଳେ ପୂଜା

ପାଉଥିଲେ ଭଗବତୀ

ରାଜା ଜଗନ୍ନାଥ ହରିଚନ୍ଦନ ତ

ଗଢିଲେ ମନ୍ଦିର ସେଠି ।୧୪।


ସୁନ୍ଦର ମନ୍ଦିରେ ସେହିଦିନୁ ମାଆ

ପୂଜା ପାଇଆସୁଛନ୍ତି

ଚଳନ୍ତି ପ୍ରତିମା କାଠି ଠାକୁରାଣୀ

ଖମ୍ବେଶ୍ୱରୀ ପାଖେ ଛନ୍ତି।୧୫।


ପଶ୍ଚିମାଭିମୁଖୀ ମାଆଙ୍କ ମନ୍ଦିର

ଉତ୍ତର କୁ ବେଢ଼ା ଦ୍ବାର

ସେବାରେ ଖଟନ୍ତି ଛତିଶ ପାଟକ

ବ୍ରାହ୍ମଣ ମାଳି ସୁଆର ।୧୬।


ବ୍ରାହ୍ମଣ କରନ୍ତି ମାଆଙ୍କର ପୂଜା

ସୁଆର ଭୋଗ ରାନ୍ଧନ୍ତି

ମାଳି ଆଣିଥାନ୍ତି ଫୁଲ ତୋଳି ନିତି

ମାଆ ବେଶ ହୋଇଥାନ୍ତି।୧୭।


ଶ୍ରୀମନ୍ଦିର ସହ ଭଗବତୀ ପୀଠ

ନିବୀଡ ସମ୍ପର୍କେ ବନ୍ଧା

ଜଗତ ଜନନୀ ଜଗତ ର ନାଥ

ଭାବ ବନ୍ଧନ ରେ ଛନ୍ଦା ।୧୮।


ନିତି ପ୍ରଭାତ ରେ ଶ୍ରୀ ମହାପ୍ରସାଦ

ମାଆଙ୍କୁ ଯେ ଲାଗି ହୁଏ 

ମହାପ୍ରଭୁ ଙ୍କର ମଙ୍ଗଳ ମୂର୍ଚ୍ଛନା

ପୀଠରେ ଉଛୁଳୁଥାଏ ।୧୯।


ମଧ୍ୟାହ୍ନ ଧୂପରେ ରାତ୍ରି ନୈବେଦ୍ୟ ରେ

ଆମିଷ ମାଆଙ୍କ ଭୋଗ 

ମାଛ ତରକାରି ମାଛର ମହୁର

ଲାଗି ହୁଏ ମାଛ ଗୁଣ୍ଡ।୨୦।


ମାଆ ଭଗବତୀ ଚାରି ଭଉଣୀ ସେ

ଚିଲିକା କୂଳରେ ଛନ୍ତି                

ଭଉଣୀ ମାନଙ୍କୁ ପ୍ରତିବର୍ଷ ଥରେ

ମାଆ ଯାଇ ଭେଟିଥାନ୍ତି ।୨୧।


ଶୋଲରୀ ପାହାଡ଼ ଉତ୍ତରେ ଅଛନ୍ତି

 ଶିଦ୍ଧେଶ୍ବରୀ ମହାମାୟୀ 

ପଣା ସଂକ୍ରାନ୍ତିରେ ମାଆ ଭଗବତୀ

ଭେଟିଥାନ୍ତି ତାଙ୍କୁ ଯାଇ ।୨୨।


ଭାଲେରି ପାହାଡ଼େ ବନାନୀ ର ମାୟା

ମନକୁ ନିଅଇ ଟାଣି

ସେ ପବିତ୍ର ପୀଠେ ବିଜେ କରିଛନ୍ତି

ଦୟାମୟୀ ନାରାୟଣୀ ।୨୩।


ଭଗବତୀ ଙ୍କର ଭାରି ଅଲିଅଳି

ଭଉଣୀ ସହି ଅଟନ୍ତି

ଅଶୋକା ଅଷ୍ଟମୀ ପବିତ୍ର ତିଥିରେ

ମାଆ ଯେ ତାଙ୍କୁ ଭେଟନ୍ତି ।୨୪।


ମାଆଙ୍କ ଭଉଣୀ ଚିଲିକା ର ରାଣୀ 

 କାଳିଜାଇ ବିଜେ ସେତ

ଭାଦ୍ରବର ଶୁକ୍ଳ ଷଷ୍ଠି ସନ୍ଧ୍ୟାରେ ତ

ମାଆ କରିଥାନ୍ତି ଭେଟ ।୨୫।


ଚିଲିକା ମଝିରେ ଦୁଇ ଠାକୁରାଣୀ

ଗେହ୍ଲେଇ ଭଉଣୀ ଦୁଇ

ଜଗତ ବାସୀଙ୍କୁ ସ୍ନେହ ମମତାର

ବାରତା ଯାଆନ୍ତି ଦେଇ ।୨୬।


ଭାଦ୍ରବ ମାସର ଶୁକ୍ଳ ଅଷ୍ଟମୀରେ

 କରନ୍ତି ମାଆ ଶୟନ

ନିଦରୁ ଉଠନ୍ତି କରୁଣାମୟୀ ସେ

ମୂଳା ଅଷ୍ଟମୀ ର ଦିନ ।୨୭।


ଶହସ୍ର କୁମ୍ଭର ଜଳେ ଅଭିଷେକ

ମାଆଙ୍କର ହୋଇଥାଏ

ସେହିଦିନୁ ପୁଣି ଶାରଦୀୟ ପୂଜା

ମାଆଙ୍କ ଆରମ୍ଭ ହୁଏ ।୨୮।


ପ୍ରତିଦିନ ହୁଏ ହୋମ ଯାଗ ଯଜ୍ଞ

ସପ୍ତସତୀ ଚଣ୍ଡୀ ପାଠ

ମାଆଙ୍କ ବନ୍ଦନା ମଙ୍ଗଳ ମୂର୍ଚ୍ଛନା

ଉଛୁଳି ପଡଇ ପୀଠ ।୨୯।


ମମତାମୟୀ ଗୋ ଦୟାମୟୀ ଦେବୀ

ବାଣପୁର ଭଗବତୀ

ତୁମରି ଦୟାରୁ ସାରା ଜଗତରୂ 

ଯାଉ ମା ତମସା ହଟି ।୩୦।


ତୁମ ଚରଣ ରେ ଅଧମ ଦିଲ୍ଲୀପ

ଏତିକି ମିନତି କରେ

ଦୋଷାଦୋଷକୁ ମୋ କ୍ଷମା କରି ମାଆ

ଚାହିଥିବ କୃପା ନେତ୍ରେ।୩୧।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational