ମିଛ ମାୟା ଭରା ସଂସାର
ମିଛ ମାୟା ଭରା ସଂସାର
ମିଛ ମାୟା ଭରା ସଂସାର ଭିତରେ
ଦୁଇ ଦିନର ହିଁ ଖେଳ
ସେ ଖେଳ ସରିଲେ ଯବନିକା ପଡେ଼
ଆସିଲେ ବାହୁଡ଼ା ବେଳ ।୧
ତାହାରି ଭିତରେ ମାନ ଅଭିମାନ
କେତେ ଗର୍ବ ଅହଂକାର
ବୃଥାଟାରେ ବୋଲେ ସବୁ ମୋର ମୋର
କିଛି ନାହିଁ ତୋର ମୋର ।୨
ଧନ ପରେ ଧନ ଅର୍ଜନ କରୁଛୁ
ଘର, ବାଡ଼ି, ଗାଡି କିଣି
କେତେଦିନ ରହିଯିବୁ ମହିପାରେ
ମନକୁ ପାରୁନୁ ଜିଣି । ୩
କମାନୀରୁ କିଛି ଖୋଲାମନେ ତୁହି
ବାଣ୍ଟି ଦେ ଦୁଃଖୀ ରଙ୍କିରେ
ଦରିଦ୍ର ନାରାୟଣ ଆଶୀଷ କରିବେ
ଆତ୍ମା ତୋ ହେବ ଶୁଖିରେ ।୪
ଶୂନ୍ୟ ହସ୍ତ ନେଇ ଆସୁ ମହୀପରେ
ଯିବୁ ପୁଣି ଶୂନ୍ୟ ହସ୍ତେ
ଜୁଇରେ ଜଳିବ ମୋହ ମାୟା ଦେହ
ଆତ୍ମା ଥିବ ଶୁନ୍ୟ ପଥେ ।୫
ବୁଝିଯାରେ ମନ ଅବୁଝା ନହୁଅ
ଏଠି ତୋର କେହି ନୁହଁ
ଏସବୁ ସମ୍ପତ୍ତି ଧନ-ମାନ-କୀର୍ତ୍ତି
କିଛି କିଛି ତୋର ନୁହଁ । ୬
ମାୟା ମରିଚିକା ପଛରେ ଧାଉଁଛୁ
ଶୁଣରେ ପାଗଳ ମନ
ପରମବ୍ରହ୍ମ ପଦେ ପଶିଯା ଶରଣ
ଜୀବନ ହୋଇବ ଧନ୍ୟ ।୭
