ରଜ ର ଖୋଜ୍ ରେ
ରଜ ର ଖୋଜ୍ ରେ


ଛୁଟି ଦିନ ବୋଲି
ମୋ ଶୂନଗାଡ଼ି ଧରି
ବାହାରିଲି ଟିକିଏ ପଦାକୁ,
ମନ ମୋ' କହିଲା
ଖୋଜିବା କି ଟିକେ ରଜକୁ ?
ଗହଳି ତ ଆଜି ବେଶ୍ ଥିଲା
ରାସ୍ତା ଘାଟରେ,
ବଜାର ହାଟରେ,
ଗାଁରୁ ସହର ସବୁ ବାଟରେ ।
ତଥାପି ଥିଲା ଖାଁ ଖାଁ..
ଗାଁ ଶେଷର ଆମ୍ବ ତୋଟାଟା,
ଦାସେ ଘରପାଖ କୋଠଘରଟା,
ବୁଢ଼ା ବରଗଛ ମୂଳ ପୋଖରୀ ତୁଠଟା ।
ସେଇ ଶୂନ୍-ଶାନ୍ ର ବଳୟ ଭିତରେ
ଅଣନିଃଶ୍ୱାସୀ ହେଉଥିଲେ..
ନୂଆବୋହୁର ପାଦ ଅଳତା,
ଲିଆ-ମୁଢ଼ିର ସଜଭାରଟା,
ଆଉ କାଠ ଚୁଲିର ପଲମ-ପିଠା ।
ବନସ୍ତ ତ ନୁହେଁ
ଥିଲା ଖାଲି କଂକ୍ରିଟ ଜଙ୍ଗଲ,
ଆଉ ବାରୁଦର ଖାଦ୍ୟ ଭିତରେ
ଗଜ ଖୋଜୁଥିଲା ବଞ୍ଚିବାର ମୂଲ ।
ବାଉଁଶ ଦୋଳିର କଟମଟ
ଝାଉଁ
ଳି ପଡ଼ୁଥିଲା
ବୁଲେଟ୍ ର ଫଟ-ଫଟ ଶବ୍ଦ ଆଗରେ,
ଆଉ ପୁରୁଣା ରଜ-ଗୀତଟା
ଛଟ୍-ପଟ୍ ହଉଥିଲା,
ସ୍ପିକର ଖଞ୍ଜା ଡିଜେର ଛାତିଥରା ଧ୍ୱନି ଭିତରେ ।
ତଥାପି ପାଇଲି ରଜକୁ,
ନୂଆ ଶାଢ଼ୀ ଆଉ ଜାମାର
ଖୁସି ଭିତରେ,
ଷ୍ଟିଲ୍ ତାୱା ଉପରେ ତାତୁଥିବା
ଚକୁଳି ପିଠାରେ,
ସ୍ପେଶାଲ ଷ୍ଟଲ୍ ରେ ସଜା ହୋଇଥିବା
ରଜ ପାନରେ,
ଆଉ ଡ୍ରଇଂ ରୁମ୍ ର ଛାତରୁ ଓହଳି ରହିଥିବା
ପ୍ଲାଷ୍ଟିକ ଦୋଳିରେ ।
ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ମଧ୍ୟ
ବଞ୍ଚୁଥିଲେ ରଜ ସାଥିରେ,
ଭଳିକି ଭଳି ନୂଆ ରୂପରେ,
ପ୍ରତି ଆଷାଢ଼ର ପହିଲି ତିଥିରେ ।
ଆନନ୍ଦ ଉଲ୍ଲାସର ବର୍ଷା ଜଳରେ
ଭିଜୁଥିଲା ପ୍ରତି ଓଡ଼ିଆ ପ୍ରାଣ,
ମୁଁ ଲେଉଟିଲି ଗୋଧୂଳି ସଞ୍ଜରେ
ରଜକୁ ଦେଇ ଫେରିବା ରାଣ ।