ତୁହି ମୋର ଗେଲ୍ହା ମାଆ
ତୁହି ମୋର ଗେଲ୍ହା ମାଆ
କାହିଁ କେତେ ଦୂରେ ଅନ୍ତରୀକ୍ଷ ପୁରେ
ଥିଲି ମୁଁ ଆକାରହିନ,
ଧାରଣ କରିଲୁ ଗର୍ଭରେ ତୋହର
ଦଶ ମାସ ଦଶ ଦିନ ।
ତୋହରି ରକତ ସଂଚରିତ ହେଲା
ଅଙ୍ଗେ ଅଙ୍ଗେ ମୋର ଯେବେ,
ଜୀବନ ସତ୍ତା ମୋ ଆରମ୍ଭ ହୋଇଲା
ଶିଶୁଟିଏ ହେଲି ସେବେ ।
ସଞ୍ଚିଥିଲି ମୁହିଁ ପୁଣ୍ୟଫଳ କିଛି
ବୋଧେ ବିଗତ ଜନ୍ମର,
ଏହି ଜନମରେ ତୋହରି କୋଳରେ
ହେଲି ମୁଁ ତୋର କୁମର ।
ଦୁନିଆ ଆଖିରେ ଶିଶୁଟିଏ ମୁହିଁ
କାନ୍ଦୁଥିଲି କୁଆଁ କୁଆଁ,
ତୁହି ଏକା ସିନା ଉଦରର କ୍ଷୁଧା
ବୁଝୁଥିଲୁ ମୋର ମାଆ ।
ଅଧରେ ମୋହର ଖାଦ୍ୟର ଭଣ୍ଡାର
ଖୁଆଇବୁ ଟିକେ ବୋଲି,
ହସିହସି ତୁହି ନିଜ ଭୋକଜ୍ୱାଳା
ସହଜରେ ଯାଉ ଭୁଲି ।
ତୋର ହାତ ଧରି ଚାଲି ମୁଁ ଶିଖିଲି
କୁନି କୁନି ପାଦେ ମୋର,
ଚାଲୁ ଚାଲୁ କାଳେ ଝୁଣ୍ଟି ମୁଁ ପଡ଼ିବି
ରଖିଥାଉ ତୁ ନଜର ।
ରାଜନୀରେ ମୁହିଁ ଶୋଇ ନ ପାରିଲେ
ତୋ ଆଖିରୁ ନିଦ ହଜେ,
ମଙ୍ଗଳ ମନାଶି ପଣତ ତୋହର
ଆଖିନୀରେ ପୁଣି ଭିଜେ ।
ବହୁ ଅଳି କରି କୋଳରୁ ତୋହର
ଦେଖେ ମୁଁ ସରଗ ଶଶୀ,
ଭାବେ ବେଳେବେଳେ ସତରେ କି ଆହା
ଶଶୀଟା ପଡ଼ାନ୍ତା ଖସି ।
ଦୁଷ୍ଟାମିର ସୀମା ପାରି କରିଗଲେ
ଦେଉଥିଲୁ ମୋତେ ଗାଳି,
ହେଲେ ତୋ ଅନ୍ତର ମମତା ଭଣ୍ଡାର
ମୁହିଁ ତୋର ଧନମାଳି ।
ତୋର ମାଡ଼ ଗାଳି ସେନେହ ଶରଧା
ମଣିଷଟେ ମୋତେ କଲା,
ବେତର ସେ ଛାଟ ତୋହରି ଆକଟ
ଭୁଲିକି ପାରିବି ଭଲା ।
ସର୍ବସଂହା ସାଜି କେତେଯେ କଷଣ
ସହିଅଛୁ ଏକା ଏକା,
ତୋ ହସ ଆଗରେ ହୀରା-ନିଳା-ମୋତି
ଲାଗେ ମୋତେ ଫିକା ଫିକା ।
ତୋ ହାତ ପରଷା ଅମୃତ ମଣୋହି
ସେଥିରେ ସରାଗ ମୋର,
ପଣତେ ତୋହର ପ୍ରଶାନ୍ତି ନଅର
ସତେକି ସରଗ ପୁର ।
ଆହା ବୋଲି ଥରେ କହିଦେଲେ ପଦେ
ମେଣ୍ଟିଯାଏ ମୋର ଖେଦ,
ତୋହରି ଆଶୀଷେ ଲଙ୍ଘିଯିବି ଗିରି
ଛୁଇଁବି ମୁହିଁ ଜଳଦ ।
କେଉଁ ଦେବାଦେବୀ କିମ୍ପାଇଁ ପୂଜିବି
ତୁହି ଚଳନ୍ତି ଠାକୁର,
ତୋହରି ପୟରେ ଏ ସାରା ସଂସାର
ଲୀନ ଚାରିଧାମ ପୁର ।
ତୋର ପାଦ ଧୂଳି ମଥାରେ ମୁଁ ବୋଳି
ଲଢ଼ିବି ଜୀବନ ଯୁଦ୍ଧ,
ଶିକ୍ଷା-ଦୀକ୍ଷା-ନୀତି ସଂସ୍କାର ତୋହରି
ସାଜିବ ମୋର ଆୟୁଧ ।
ମାଗୁଣି ଏତିକି କରୁଛି ସଭିଙ୍କୁ
ମାଆକୁ ଭୁଲିବ ନାହିଁ,
ମାଆ ଆଖି ଲୁହ ପ୍ରଳୟର ସୁଅ
ଧ୍ୱଂସ ଯିବ ଧରା ଭୂଇଁ ।
ନିତ୍ୟନୈମିତିକ ଚଲାପଥେ ମୋର
ଥାଉ ତୋ ପଣତ ଛାୟା,
ସବୁ ଜନମରେ ହେବି ତୋ କୁମର
ତୁହି ମୋର ଗେଲ୍ହା ମା'
ତୁହି ମୋର ଗେଲ୍ହା ମା' ।