ହତଭାଗିନୀ ଗୋଲାପ
ହତଭାଗିନୀ ଗୋଲାପ
କେଉଁଥି ପାଇଁହେ ପ୍ରଭୁ ତୁମେ ମୋତେ
ଫୁଲଟିଏ କରିଦେଲ,
ବିଗତ ଜନ୍ମର ପାପଫଳ ବୋଧେ
ଏଇ ଜନ୍ମେ ମୋତେ ଦେଲ ।
ପ୍ରଥମେ ହୋଇଲି ସୁନ୍ଦର କଳିକା
ଫୁଟିଥିଲି ଉପବନେ ,
କେତେଯେ ଭ୍ରମର ପାଗଳ ପ୍ରାୟେଯେ
ଲୋଭୁଥିଲେ ମନେମନେ ।
କିଛି ଦିନ ଅନ୍ତେ ଆସି ପହଁଚିଲା
ସେ ପ୍ରତୀକ୍ଷିତ ସକାଳ,
କଳିକାରୁ ଫୁଲ ହେଲି ମୁଁ ସେଦିନ
ପଡ଼ିଲା ପୁଣି ଚହଳ ।
ଗୋଲାପି ରଙ୍ଗର ପାଖୁଡ଼ା ସାଙ୍ଗକୁ
ପତ୍ର ଥିଲା ସବୁଜର ,
କଣ୍ଟାରୁ ଗୋଛାଏ ଧାଡିଧାଡ଼ି ହୋଇ
ଜଗିଥିଲେ ମୋ ପୟର ।
ବସନ୍ତର ଛିଟା ଅଙ୍ଗେ ଅଙ୍ଗେ ମୋର
କିଏ ଭରିଥିଲା ଆଣି ,
ଫୁଲଙ୍କ ମେଳରେ ନିଆରା ବୋଲିତ
ବୋଲାଏ ଗୋଲାପ ରାଣୀ ।
ଉପବନ ଛାଡ଼ି ଗଲି ବହୁଦୂର
ମନୁଷ୍ୟର ହିତ ପାଇଁ ,
ସବୁଠି ଚାଲିଲା ଚର୍ଚ୍ଚାଯେ ଅନେକ
ସୌନ୍ଦର୍ଯ୍ୟକୁ ମୋର ନେଇ ।
ପ୍ରେମିକ ପ୍ରବର ପ୍ରିୟତମା ପାଇଁ
କିଣିନେଲା ପୁଣି ମୋତେ ,
ପ୍ରେମର ସମ୍ପର୍କ ନିବିଡ଼ ହୋଇଲା
ଲାଜେଇ ଗଲାସେ ସତେ ।
ଅମର ପ୍ରେମର ସନ୍ତକ ହୋଇଣ
ରହିଲି ପ୍ରେମିକା ଘରେ ,
କୁସୁମ ଜନମ ସାର୍ଥକ ହୋଇଲା
ଭାବିଲି ପୁଣି ମନରେ ।
ଅନ୍ୟ ଏକଦିନେ ପ୍ରେମିକାଟି ମୋତେ
ପ୍ରେମିକ ମୁଁହରେ ଛାଟେ ,
ଅଲିଅଳି ମୋର କୋମଳ ଶରୀର
ଭୂମିପୋରେ ପୁଣି ଲୋଟେ ।
ଅନେକ ଆସିଲେ ଅନେକ ବୁଲିଲେ
ପଡ଼ିଥିଲି ମୁଁହ ମାଡ଼ି ,
ଅଣଦେଖା କରି ଚାଲିଲେ ସଭିଏଁ
ବୁକୁରେ ମୋହର ଚଢ଼ି ।
ପ୍ରଭୁଙ୍କ ପାଖରେ କରଇ ମିନତି
ଏ ଦୁଃଖ ଆଉ ନ ଦିଅ ,
ପ୍ରେମର ସମ୍ପର୍କ ପ୍ରତାରଣା ହେଲେ
ଏ ଦୋଷ କି ମୋର କୁହ ।
ସ୍ୱାର୍ଥକୁ ନିଜର ଚରିତାର୍ଥ କରି
କଲ ମୋତେ ହୀନିମାନି ,
ତୁମରି ପାଇଁଟି ଆଜିଏ ଗୋଲାପ
ହୋଇଲା ହତଭାଗିନୀ ।