ରଜ
ରଜ
ଗଜରାଜ ଡାକରାରେ ଆସେ ରଜ,
ଆସେ, ଆଷାଢ଼ର ଓଦା ପଣତରେ
ସରସର ଭିଜିବାକୁ,
ଉଚ୍ଚରୁ ଅତ୍ୟୁଚ୍ଚକୁ କାତ ବାହି ବାଉଁଶ ଦୋଳିରେ
ଆସେ, ପୋଡ଼ପିଠାର ମହକରେ ମହକିବାକୁ l
ସାଥେ ଆଣେ ମଉସୁମୀର ମତୁଆଲା ପରଶ,
କିଆ, କେତକୀ, ହେନା, ମଲ୍ଲୀର
ଚହଟ ସୁବାସ l
ପରାଣେ ପରାଣେ ଭରେ ଆବେଗ ଉଲ୍ଲାସ,
କୁଆଁରୀ ବୁକୁତଳୁ ଉଠେ ଉଷ୍ଣ ଉଚ୍ଛ୍ୱାସ l
ରଜ ଆସେ, ଆକାଶ ଆଖିରେ ଟାଣି
ଗାଢ଼ କଜ୍ଜଳର ଗାର,
ପାଦରେ ଅମାନିଆ ଅଲକ୍ତ ଧାର ଆଉ
ଘନକୃଷ୍ଣ କବରୀରେ ଭିଡ଼ି
ଧଳା ବଉଦର ମାଳ l
ତା' ଆବରଣ ଉହାଡ଼ରୁ
କଞ
୍ଚା ହଳଦୀ ହସେ,
ଲାଲ ଟୁକଟୁକ ଓଠ ଧାରୁ
ବନାରସିଆ ମହକ ଆସେ l
ତାସ ଅବା ପଶାପାଲି ପଡେ
ପିଣ୍ଡାରେ ଦାଣ୍ଡରେ,
ଅଧୀର ହୁଏ ମନ ଭିଜା ମାଟିର ଗନ୍ଧରେ l
ଥିରିଥିରି ଆସେ ସିଏ ପୁରପଲ୍ଲୀର ଅଙ୍ଗରେ,
ଭରି ନବ ଯଉବନ ଇନ୍ଦ୍ରଧନୁର ରଙ୍ଗରେ l
ଆତୁର କାତର କେତେ
ଛୁଇଁ ଯିବାକୁ ବର ଓହଳ ଅବା
ଆମ୍ବଡାଳେ ବନ୍ଧା ଦଉଡିକୁ,
ଅନୂଢ଼ା ଆଖିରେ ଆଖିଏ ସପନ ଆଉ
ମାଦକତା ଭରିବାକୁ l
ଫି'ସନ ଆସେ ରଜ ପୁଲକିତ କରି ପ୍ରାଣ,
ଦେହେ ଭରି ଅଫୁରନ୍ତ ଶିହରଣ,
ଭୂମି ଓ ଭୂମାର ମିଳନ ବେଳାରେ
ଝୁମିବାକୁ, ଚୁମିବାକୁ ପ୍ରୀତି ପୁଲକରେ