ବୀର ଯୋଦ୍ଧା
ବୀର ଯୋଦ୍ଧା
ଜନସେବା କରୁ କରୁ କେବେ ଯଦି
ହାରେ ମୁଁ ଜୀବନ,
କରମ ଭୂଇଁରୁ ମୋ ଶରୀର
ପଠାଇବ ଜନମ ଭୂଇଁକୁ ମୋର,
ଏହି ନିବେଦନ l
ଛାତିପରେ ରଖି ମୋର ପ୍ରିୟ ଷ୍ଟେଥୋ
ଶୁଣାଇବ ମାଆକୁ ମୋ
ସୁକରମ ଗାଥା,
ସଇନିକ ଠାରୁ ଊଣା ନୁହେଁ ମୋ ଜୀବନ
ସେବାଭୂମି ପରେ ଆଜି ଏହି ବଳିଦାନ
କେବେ ନୋହିବ ଅଯଥା l
ଅଶ୍ଵାସିବ ବାପାଙ୍କୁ ମୋ
ସଳଖିବେ ଅଣ୍ଟା,
ପାରିବାର ବୋଝ ବୋହି ଚଳିବେ ଯତନେ
ପଥେ ବହୁ କଣ୍ଟା l
ଭଉଣୀକୁ ବୁଝାଇବ
ନହେବାକୁ ଦୁଃଖୀ,
ପଥଶ୍ରମେ ଶ୍ରାନ୍ତ ହୋଇ
ସୁଖେ ଶୋଇଅଛି ଭାଇ,
ଭାବି ହେବ ସୁଖୀ l
ଦୃଢ କଣ୍ଠେ ପତ୍ନୀକୁ କହିବ
ପକାଇ ମୋ ରାଣ,
ତିଆରିବ ବାବୁକୁ ସେ
ଜନହିତେ କରି ପଣ,
ଯାଉ ପଛେ ପ୍ରାଣ l
ବୁଝାଇବ ଦେଶ ମାତୃକାକୁ
ନଝାରିବ ଲୁହ,
ବୀର ଯୋଦ୍ଧା ସିନା ସିଏ
ପର ପାଇଁ ମରେ ଯିଏ,
ଏ ଯେ ମାଟି ମୋହ ll