ମାଟିର ମୋହ
ମାଟିର ମୋହ
ରାତି ଏଠି ସ୍ୱପ୍ନ ପାଲଟନ୍ତି
ସକାଳଟା ମଧୁର ରାଗିଣୀ
ଦିନ ଗୁଡା ଆଗାମୀ ସମ୍ଭାବ୍ୟ
ପ୍ରୀତିଲଗ୍ନା ସଞ୍ଜର ରୋଷଣି
ସୂର୍ଯ୍ୟ ଆଣେ ନୂତନ ପୁଲକ
ଜହ୍ନ ଏଠି ଖୋଜେ ନୀଳ କଇଁ
ମମତାର ମଧୁଝରା ବାସ
ପବନଟା ଦିଏ ଚହଟାଇ
ଋତୁ ଏଠି ଜନ୍ମହୋଇ ମରେ
ପୁଣି ଜନ୍ମହୁଏ ବାର ବାର
ସ୍ଥାନାନ୍ତରେ ଖୋଜି ମୁଁ ପାଏନା
ଏଠି ଭର୍ତ୍ତି ପ୍ରାନ୍ତର କେଦାର
ଡହ ଡହ ନିର୍ମେଘ ଗଗନ
ନଈ ତୁଠେ ସଞ୍ଜ ନଇଁଗଲେ
ପଲ୍ଲୀବାଳା ନୂପୁର ନିକ୍ୱଣେ
ଚଇତାଳି ବାଆ ବହିଚାଲେ
ବିରହୀ ସେ ବଇଁଶୀର ସୂର
ଗୋଧୂଳିର ହମ୍ବା ରଡି ଧ୍ୱନୀ
ମନ୍ଦିରର ମଙ୍ଗଳ ଆଳତୀ
ବଧୂ ଫେରେ ଭିଜା ଦେହ ଘେନି
ବର୍ଷା ଧୁଆ ସଞ୍ଜ ଯେବେ ବୁଡେ
ଭେକ ରଡି କର୍କଶ ରାଗିଣୀ
ନଈଧାରେ କିଆ ଓ କେତକୀ
ଶୂନ୍ୟଗର୍ଭା ହୁଏ ସ୍ରୋତସ୍ୱିନୀ
ରୋମାଂଚିତ କଦମ୍ବର ସ୍ପର୍ଶ
କାଦମ୍ବିନୀ ଚପଳା ଚମକ
ବଳାହକେ ପୁରିତ ଅମ୍ବର
ଭିଜା ମାଟି ଅପୂର୍ବ ମହକ
ନଈ ପଠା କାଶତଣ୍ଡୀ ବଣେ
ଶରତଟା କଡ ଲେଉଟାଏ
ଅଲାଜୁକୀ ଫୁଲେଇ ନଈଟା
ମୁହଁପୋତି ବହିଯାଉଥାଏ
ପାର୍ବଣରେ ଡୁବେ ଯେବେ ମାଟି
ଝରା ଶେଫାଳୀର ତୋରା ଦେହେ
ଋତୁ ଛୁଆଁ ଅୟୁତ ରୋମାଞ୍ଚ
ପ୍ରବାସୀଟା ମାଟି ମୋହେ ଧାଏଁ
ଧାନବିଲ ଲହକା କ୍ଷେତରେ
ବୁଣିଦିଏ ସୁନେଲି ଅବିର
କଙ୍କାଳଟା ପୁନର୍ଜନ୍ମ ପାଏ
ଶୁଖିଯାଏ ଲୋତକର ଧାର
ଜହ୍ନ ଯେବେ ଛେତା ପଡିଯାଏ
କୁହୁଡିର ଆବରଣ ତଳେ
ଲିଭି ଯାଉ ଯାଉ ସଞ୍ଜବତୀ
ବତାସର ନିଆଁ ଏଠି ଜଳେ
ଆମ୍ବତୋଟା ମହ ମହ ବାସେ
କୋଇଲିଟା ଛାଡଇ ରାଗିଣୀ
ବସନ୍ତର ଉଚ୍ଛନ୍ନ ଯୌବନ
କୁନ୍ଦ ଫୁଲେ ମଳୟ ଉଜାଣି
ମୁଠେ ମାଟି ଆଞ୍ଜୁଳେ ସପନ
ତା ମହକ ନିହାତି ନିଆରା
ତାଳ, ତମାଳ ଶୋଭିତ ପଥ
ଧୁଳି ଦାଣ୍ଡ ବ୍ୟସ୍ତ ଚଉତରା
ଜନ୍ମ ଏଠି ମୃତ୍ୟୁ ପୁଣି ଏଠି
ଏନ୍ତୁଡିରୁ ଅନ୍ତକାଳ ଯାଏଁ
ଜୁଇ ଏଠି ଥଣ୍ଡା ପଡୁ ପଡୁ
ଏ ମାଟିର ଆହ୍ୱାନ ମୁଁ ପାଏ ।