STORYMIRROR

Pramod Panda

Others

3  

Pramod Panda

Others

ବିତା ବସନ୍ତ

ବିତା ବସନ୍ତ

1 min
229


ଢିଙ୍କିଶାଳରୁ ଢେଙ୍କାନାଳ ଯାଏଁ

ବାଡିମୁଣ୍ଡରୁ ବଡଦାଣ୍ଡ ଯାଏଁ

ପଲ୍ଲୀରୁ ଦିଲ୍ଲୀ ଯାଏଁ

ଇଲେକ୍ସନ ଋତୁର ଗହଳି

ପବନରେ ଗୋଳେଇହୋଇ

ଗୁଡାଏ ବୁଝା ଅବୁଝା ଶବ୍ଦର

ମିଶ୍ରିତ ରାଗ ଛୁଇଁଯାଉଛି

ନେତେରା ମା ର କାନ ପରଦାକୁ

ଉନ୍ନତି, ସୁଶାସନ, ପ୍ରଗତି ଇତ୍ୟାଦିର

ଫେଣ୍ଟାଫେଣ୍ଟି ଆବାଜ


ତା'ର ଏଇ ଅନେକ ବସନ୍ତ ବିତା ଦେହ

ଆଉ ମଳୟକୁ ଛୁଇଁପାରୁନି

ଫୁଟି ଚହଟୁଥିବା ସୁଗନ୍ଧରାଜ ଫୁଲର

ମହକକୁ ସେ ଠଉରେଇ ପାରୁନି

ଧୁସର ଆଖିର ପରଦା ଟେକି

ଦୃଷ୍ଟି ତା'ର ଖୋଜୁଥିଲା

ସେଇ ବିତିଯାଇଥିବା ବସନ୍ତର

ଧୁଆଁଳିଆ ଅତୀତକୁ |


ଗାଁ ଇସ୍କୁଲର ଧାଡିରେ

ନାକେ ଓଢଣା ଟଣା

ତା ମୁହଁରେ ଅନେକ ଆଶା

ଭଉଁରୀ ଖେଳୁଥିଲା

ଭୋଟ୍ ଦେଇସାରି ସେ ଫେରୁଥିଲା ଆଶାର ଗଣ୍ଠିଲି ବୋହି

ସ୍ୟାହିଲଗା ଆଙ୍ଗୁଠିଟା

ମୁଣ୍ଡରେ ପୋଛି ପୋଛି

ଏକ ନୂତନତ୍ୱର ପ୍ରତାରଣାରେ,

ପ୍ରବଞ୍ଚନାରେ ବାନ୍ଧିହୋଇ


ପୁଣି ଦୃଷ୍ଟି ଅଟକିଲା

ନେତେରାର ସେ ଅହଣ୍ଡିଆ ପେଟରେ

ନେତେରା ବା ର ଶୋଥା,

ଜାମୁକୋଳିଆ ମୁହଁରେ

କାଇଁ କିଛି ତ ବଦଳିଲାନି

ପ୍ରତିଶୃତିର ପାହଡରୁ ଗୋଡିଟିଏ ବି

ପ୍ରାପ୍ତ ହେଲାନି

ନେତେରା ବା ର ମୁର୍ଦ୍ଦାର ପୋଡିବାପାଇଁ କାଠ ତ ମିଳିଲାନି

ବରଂ ଟାୟାର ଜାଳି

ତା'ର ପୋଡଖୁଣ୍ଟା

ଦେହଟା ଦର ପୋଡା ହୋଇ ରହିଗଲା ହେଲେ ପାଉଁଶ ହେଲାନି

ବାପ ପଛେ ପଛେ ନେତେରା ଚାଲିଗଲା

ସେଇ ଅଫେରା ରାଇଜକୁ

ଭେଣ୍ଡା ବୟସରେ

ଆଉ ନଫେରିବାର ଦ୍ୱାହି ଦେଇ

ଦାଦନ ଫେରନ୍ତା ଜରାଜୀର୍ଣ

ଦେହଟା ନେଇ


ସେ କିନ୍ତୁ ବଞ୍ଚିଛି

ଗଙ୍ଗାରେ ପକାଇବ ତା

ଗିରସ୍ତ ଆଉ ପୁଅର ଅସ୍ଥି

କିନ୍ତୁ ଅର୍ଥ ବାଧକ ସାଜିଛି

ତୀର୍ଥ ଯିବାକୁ

ସେ ଚାହିଁଲା ତା'ର ବେଛପର

ଚାଳ ଉପରକୁ

କାଉଟା ମେଲା ଚାଳର ପଞ୍ଜରାରେ

ଥଣ୍ଟ ଘସି ତା'କୁ ଖତେଇ ହେଉଥିଲା

ପକ୍କାଘର ଯୋଜନାରେ ତା ନାଁ ନାହିଁ

ବାହୁବଳୀମାନେ ନେଇଯାଇଛନ୍ତି

ପଇସା ମିଶେଇ ଦୋମହଲା କରିଛନ୍ତି


ସାଇ ଭିତରକୁ ମାଇକିଲଗା ଗାଡିଟା ପଶିଆସୁଛି ଘୋ ଘୋ ଶବ୍ଦକରି

ସେ ଉଠିଲା ଗୋବର ଘସି ସାଉଁଟା

ତା'ର ସେ ଶିରାଳ ହାତରେ ଭରାଦେଇ

ହଠାତ୍ ଭୁସ୍ କରି ଗୋଟାଏ ଶବ୍ଦ

ଦୁର୍ବଳ ହାତ ଦୁଇଟା ଶରୀରକୁ ଟେକିପାରିଲେନି

ଆଖି ଆଗରେ ଅନ୍ଧାର ବହଳିଆ ହୋଇଉଠିଲା

ଅନେକ ବସନ୍ତ ବିତା ତା'ର ଦେହଟା

ପକ୍ଷୀ ଲଗାଇ ଉଡୁଥିଲା

ଅନନ୍ତ ଉଜ୍ଜ୍ୱଳ ଆକାଶର ସେପାଖରୁ

ନେତେରା ବା ଆଉ ନେତେରାର

ଆବାହନୀର ମନ୍ଦ୍ର ସ୍ୱରରେ

ଫିକା ପଡିଯାଉଥିଲା

ଡାକବାଜି ଯନ୍ତ୍ରର ଧାତବ ଶବ୍ଦ

ଉନ୍ନତି, ସୁଶାସନ , ପ୍ରଗତି

ଶୂନ୍ୟଗାମୀ ହେଉଥିଲା

ତାର ବିଦେହୀ ଆତ୍ମା

ଏସବୁ ମିଥ୍ୟା ପ୍ରଚାର ଠାରୁ

ଅନନ୍ତ ଦୂରତାକୁ..........।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍