ମାଟି ଘର ଏ ସରଗ ମୋର
ମାଟି ଘର ଏ ସରଗ ମୋର
ଘର ଟି ମୋର ସରଗପୁର
ତା ପରି ଜାଗାଟେ ନାହିଁ
ଯାହାର କୋଳେ ଛୋଟରୁ ବଡ
ହୋଇଛି ଆଜି ମୁହିଁ ॥
ଘର ଆଗରେ ଆମ୍ବ ଗଛଟେ
ପୋଖରୀ ବାଡି ପଛେ
ଯେଉଁଠି ଖେଳେ ରୋହି ଭାକୁର
କଉ ମାଗୁର କେତେ ॥
ଘର ପିଣ୍ଡାରୁ ଦିଶିଯାଏ ମୋ
ସବୁଜ ଧାନ ବିଲ
ଘର ଅଗଣା ପିଜୁଳି ଗଛେ
କାଉ କୋଇଲି ମେଳ ॥
ଚାଳ ଛପର ଘରଟି ମୋର
ଧାରା ଶ୍ରାବଣ କେତେ
ଦେଖିଛି ସିଏ ସହିଛି ଖରା
ଆଶ୍ରୟ ଦିଏ ମୋତେ ॥
ପୂଜା ପୁନେଇଁ ଯେବେ ହୁଅଇ
ଉଛୁଳି ଉଠେ ଘର
ପର ଆପଣା ନଥାଏ ସେଠି
ନଥାଏ ତୋର ମୋର ॥
ଏମାଟି ଘର ଚଟାଣ ପରେ
ଧାଡି କି ଧାଡି ବସି
ପଖାଳ କଂସା ଆଳୁ ପୋଡାକୁ
ଖାଆନ୍ତି ସବୁ ମିଶି ॥
ଏ ମାଟି କାନ୍ଥ ରହିଛି ସାକ୍ଷୀ
କେତେ ଯେ ସୁଖ ଦୁଃଖ
ବିତିଛି ଦିନ ଏ ମାଟି ଘରେ
ମୋର ଜୀବନଯାକ ॥
ଗଡିଛି ଆଜି ସମୟ ଚକ
ପଛକୁ ସବୁ ଛାଡି
ସମୟ ସୁଅ ନିଏ ଭସାଇ
ଯାଏ ଆଗକୁ ମାଡି ॥
ଯେଘରେ ହସ ଉଛୁଳୁଥିଲା
ଧାରା ଶ୍ରାବଣ ପରି
ସେ ଘର ଆଜି ଖାଲି ଖାଲିକା
ହସ ଯାଇଛି ସରି ॥
ପରିବାର ରୁ କେତେ ଯେ ଡାଳ
ହାଣି ଦେଲାଣି ଯୁଗ
ଆଧୁନିକ ଏ ବୋଲାଏ ସିନା
ହଜାଇଛି ସେ ଦିଗ ॥
ପରିବାର ର ପରିଭାଷା ଯେ
ଭୁଲିଗଲେଣି ଆଜି
ମନ ଅଲଗା ଘର ଅଲଗା
ଭାଇ ଭଗାରି ସାଜି ॥
ଭୁଲିଗଲେଣି ମା ମମତା
ଅଳି ଅଝଟ ସବୁ
ମାଟି କାନ୍ଥରେ ଆଜିବି ଲେଖା
ଦିଶଇ ଯଦୁ ମଧୁ ॥
ଏମାଟି କାନ୍ଥେ କେତେଯେ ଗାର
ହିସାବ ତାର ନାହିଁ
ପ୍ରତିଟି ଗାର ଅଭୁଲା ସ୍ମୃତି
ଆଜିବି ଦେଖେ ଛୁଇଁ ॥
ବଦଳେ ଯୁଗ ବଦଳେ ପାଗ
ବଦଳିଯାଏ ରୁଚି
ମାଟି ଘର ଏ ସରଗ ମୋର
ଏହାପରି କେ ଅଛି ॥