ଆରାଧନା
ଆରାଧନା
ଆହେ ପ୍ରଭୁ ଦୀନବନ୍ଧୁ
ଦୁଃଖହାରୀ କୃପାସିନ୍ଧୁ
କୃପାକର ଏ ସୃଷ୍ଟିକୁ
ବାଳୁତ ମୁହିଁ
ନଜାଣେ ତୁମ ବନ୍ଦନା
ମନ୍ତ୍ରପାଠ ପୂଜାର୍ଚ୍ଚନା
ଘେନ ମୋର ଆରାଧନା
ଧରିବ ନାହିଁ ॥
ଦୋଷ ମୋତେ କ୍ଷମା ଦେବ
ଯଦି ଦୋଷ ମୋର ଥିବ
କ୍ଷମା କରିପାର ବୋଲି
ଈଶ୍ବର ତୁମେ
ସବୁକିଛି କରିପାର
ଶକତି ତୁମ ଅପାର
ବିଶ୍ବାସେ ମୋହର ତୁମେ
ତୁମେ ମୋ କର୍ମେ ॥
ଶକତି ନାହିଁ ମୋହର
ନାହିଁ ଧନ ବଳ ମୋର
କରୁଣା ସାଗର ତୁମେ
ଚରଣେ ତୁମ
ଶରଣ ଦିଅହେ ମୋତେ
ଦିଅ ପଛେ ଦୁଃଖ ଯେତେ
ତୁମ ବିନା ଏ ଜୀବନ
ନରକ ସମ ॥
ଲୋଡା ନାହିଁ ଧନ ବଳ
ଲୋଡା ଜ୍ଞାନ କଉଶଳ
ଦିଅନା ସେପରି ଜ୍ଞାନ
ଯେଉଁଠି ମୁହିଁ
କରିବି ତୁମକୁ ପ୍ରଶ୍ନ
କେହି ନାହିଁ ଭଗବାନ
ଏପରି ଭାବନା ମନେ
ଆସିବ ତହିଁ ॥
ହରି ନିଅ ମନୁ ମୋର
ସବୁ ଗର୍ବ ଅହଂକାର
ଦୂରକରି ପାପ ମନ୍ଦ
ଭାବନା ଯେତେ
ତେଣୁ ବିନତୀ ମୋହର
ଦିଅ ମୋତେ ସୁବିଚାର
ଭଲ ମଣିଷଟେ କରି
ଗଢହେ ମୋତେ ॥