ମୟୂରଭଞିଆ
ମୟୂରଭଞିଆ
ମୟୂରଭଞ୍ଜ୍ଜିଆ ମୁଁ ମୟୂରଭଞ୍ଜ୍ଜିଆ
ଏଇ ଭଞ୍ଜମାଟିରେ ମୋ ଜନମ
ଏଇଠି ଖେଳିଛି ଏଇଠି ବଢିଛି
ଏଇ ମାଟିରେ ହେବ ମୋ ମରଣ ।
ସାରା ରାଇଜ ମୁଁ ବୁଲିଆସି ଦେଖେ
ଭଞ୍ଜଭୂମି ମୋର ସରଗ
ଦୁନିଁଆ କଥାରେ ଯାଏ ଆସେ ନାହିଁ
ଏଇ ମାଟି ପାଇଁ ହୃଦେ ଦରଦ ।
କିଏ କହେ ବୋକା କିଏ କହେ ଭାଲୁ
ଏଇ ମୟୁରଭଞ୍ଜ୍ଜି ଆ ଗୁଡାକ
ହେଲେ ଏଇ ଭଞ୍ଜଭୂମି ହୁଂକାର ଛାଡିଲେ
ରାଜନୀତିଆଙ୍କ ଦକଦକ ।
ଶିମୁଳିପାଳର ପ୍ରାକୃତିକ ଶୋଭା
ଏଇ ଭଞ୍ଜକୋଳେ ଶୋଭିତ
ଏହାରି ପାଇଁକି ଓଡିଶାର ମାଟି
ମୌସୁମୀ ଜଳରେ ପ୍ଳାବିତ ।
ମାନୁ କି ନମାନୁ ଜଣେହେଲେ କେହି
ଏହି କଥାଟି ନିରାଟ ଯେ ସତ
ଶିମୁଳିପାଳର ସବୁଜ ବନାନୀ
ନିୟନ୍ତ୍ରଣ କରେ ପରିବେଶ ।
କୁଲୁ ଦାର୍ଜିଲିଂ ଦେଖିଲେ କି ହେବ
ଶିମୁଳିପାଳ ଯେ ନଦେଖିଛି
ଶୋଭା ଆଭା ତାର ସିଏ ହିଁ କହିବ
ଯେସେଠି ପଥରରୁ କବି ପାଲଟିଛି ।
ହାତୀ ବାଘ ବୋଲି ରଡି ଛାଡିଥାଅ
ଟିଭି ଛବି ଦେଖି ଯାହା ଜାଣ
ହେଲେ ଏ ଭଞ୍ଜିଆ ସବୁଦିନ ପରା
ବାଘ ସାଂଗେ ଖେଳେ ଛକିଶୂନ ।
ମାଟି ମଣିଷ ଏ ମାଟି ହୋଇ ଖଟେ
ବଣମୂଲକକୁ ସାଥୀକରି
ଦୁଃଖ ଲାଗେ ଯେବେ ଆଜିକାଲି ଶୁଣେ
ହାତୀ ମଣିଷର ମରାମରି ।
ଆହୁରି ଅଛି ଏ ଭଞ୍ଜଭୂମି କଥା
ଦ୍ବିତୀୟ ଶ୍ରୀ କ୍ଷେତ୍ର ଅଟେ ଏହି
ବୁଢୀ ଅମ୍ବିକାର ନାଁ ଡାକ ଯେ ସେ
ଓଡିଶା ସାରାରେ କୁହାକୁହି ।
ଏହି ଭଞ୍ଜଭୂମି ବୀର ଆଦିବାସୀ
ଲଢିଯାଉଥିଲେ ବୀର ପରି
ଦେଖି ଆସ ଯାଇ ଆଜିବି ଏ ଦେଶେ
ସୀମା ରେ ରକତ ସେ ବୁହାଇ ।
ଭଞ୍ଜବାସୀ ପରା ଭାରି ସରଳିଆ
ଛନ୍ଦ କି କପଟ ନାହିଁ ମନେ
ସେଥିପାଇଁ କିବା ଜଗତର ନାଥ
ପୁରୀ ଛାଡି ଆସିଥାନ୍ତି ଦିନେ ।
ବଖାଣି ବସିଲେ କଥା ସରିବନି
କାଗଜ କଲମ ଯିବ ସରି
ମହାନ ଏ ମାଟି କଳା ଓ ସଂସ୍କୃତି
ପ୍ରଣାମ ରେ ଦିନ ଯାଉ ସରି ।