ଆସ ସାଥୀ
ଆସ ସାଥୀ


ଜୀବନ ନାଟକେ ଆମେ ପ୍ରତ୍ୟେକେ
ଜଣେ ଜଣେ କଳାକାର,
କିଏ ଏଠି ରଜା କିଏବା ପରଜା
କିଏ ପୁଣି ଠିକାଦାର l
ଅଭିନୟ ସର୍ବେ କରୁ କରୁ ଗର୍ବେ
ନାଟକର ହୁଏ ଅନ୍ତ,
ମଧ୍ୟ ଭାଗରୁ ଛାଡି ଚାଲିଯାଏ
ଯେବେ ହୁଏ କିଏ କ୍ଲାନ୍ତ l
ନାଟକ ତ ଏକ ଭୂମିକା ଅନେକ
ଛୋଟ ବଡ ଭାବ କିଆଁ,
ଶେଷ ପରବରେ ଛୋଟ ହୁଏ ବଡ
ବଡ଼ ପିନ୍ଧେ ସାତ ସିଆଁ l
ନିୟତିର ଗତି ଚାଲିଛି ଏମିତି
କିଛି ନୁହେଁ ଏଠି ସ୍ଥିର,
ଦିନ ପରେ ରାତି, ରାତି ପରେ ଦିନ
ହେଉଥାଏ ନିରନ୍ତର l
ଉଚ୍ଚ ନୀଚ ଅବା ଧନୀ ନିର୍ଦ୍ଧନ
ନୁହେଁ କେ ଏ ଧରା ଧାମେ,
ଅନ୍ଧାର ବିନା ଆଲୋକ ମହତ
ପାରିବା କି କଳି ଆମେ ?
ହିଂସା କପଟ ନକରି ପ୍ରକଟ
ଅନ୍ତରେ ପ୍ରୀତି ପାଳି,
ଦୁଃଖ ସୁଖର ସଂସାରେ ଆମେ
ସାଥେ ସାଥେ ଯିବା ଚଳି ll